Categories: ଖେଳ

ଲିଜେଣ୍ଡ୍ସ ଲିଗ୍‌: ଇଣ୍ଡିଆ କ୍ୟାପିଟାଲ୍ସ ଚାମ୍ପିୟନ

ଜୟପୁର,୭ା୧୦: ଲିଜେଣ୍ଡ୍ସ ଲିଗ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଗୌତମ ଗମ୍ଭୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ। ଜୟପୁରର ସଓ୍ବାଇ ମାନସିଂହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୧୦୪ ରନରେ ଭିଲଓ୍ବାରା କିଙ୍ଗ୍‌ସକୁ ପରାସ୍ତ କରିଥିଲା ଦଳ। ଟସ୍‌ ହାରି କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ରସ୍‌ ଟେଲରଙ୍କ ୮୨ ରନ୍‌ ବଳରେ ୨୧୧ ରନ କରିଥିଲା। ଜବାବରେ କିଙ୍ଗ୍ସ ମାତ୍ର ୧୦୭ ରନରେ ଅଲଆଉଟ ହୋଇଥିଲା।
ଟସ୍‌ ହାରି ଇଣ୍ଡିଆ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲା। ୨୧ ରନରେ ୪ ଉଇକେଟ ହରାଇ ଦଳ ସଙ୍କଟରେ ପଡିଥିବା ବେଳେ ରସ୍‌ ଟେଲର(୮୨) ଓ ମିଚେଲ ଜନସନ୍‌(୬୨)ଙ୍କ ମଧ୍ୟରେ ହୋଇଥିଲା ୧୨୬ ରନର ପାର୍ଟନରଶିପ୍‌। ଟେଲର ୪୧ ବଲ ଖେଳି ୪ ଚୌକା ଓ ୮ ଛକା ଏବଂ ଜନସନ୍‌ ୩୫ ବଲ୍‌ ଖେଳି ୭ ଚୌକା ଓ ୩ ଛକା ମାରିଥିଲେ। ଶେଷ ଆଡକୁ ଆସ୍‌ଲେ ନର୍ସଙ୍କ ଧୂଆଁଧାର ବ୍ୟାଟିଂ (୧୯ ବଲ୍‌ ୪୨ ରନ୍‌) ବଳରେ ଦଳ ୨୦ ଓଭରରେ ୭ ଉଇକେଟ ହରାଇ ୨୧୧ ରନ୍‌ କରିଥିଲା। କିଙ୍ଗ୍ସ ପକ୍ଷରୁ ରାହୁଲ ଶର୍ମା ୪ ଓ ମଣ୍ଟି ପାନେସର ୨ ଉଇକେଟ ନେଇଥିଲେ। ଜବାବରେ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ମାତ୍ର ୧୦୭ ରନରେ ଅଲଆଉଟ ହୋଇଥିଲା ଇରଫାନ୍‌ ପଠାନଙ୍କ ଦଳ। ସେନ୍‌ ଓ୍ବାଟସନ୍‌ ସର୍ବାଧିକ ୨୭ ରନ୍‌ କରିଥିବା ବେଳେ ଜେସଲ କେରିଆ ୨୨ ରନ୍‌ କରିଥିଲେ। ୭ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିବା ବେଳେ ପ୍ରବୀଣ ତାମ୍ବେ, ପଙ୍କଜ ସିଂ ଓ ପଓ୍ବନ ସୁୟଲ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ୮୨ ରନର ମ୍ୟାଚ ବିଜୟୀ ଇନିଂସ ପାଇଁ ଟେଲରଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିବା ବେଳେ ୟୁସୁଫ ପଠାନଙ୍କୁ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା।

Share