ଷ୍ଟ୍ରଙ୍ଗ ରୁମ୍‌ ଆଗରେ ଜଗି ରହିଛନ୍ତି ନେତା, କର୍ମୀ

ଆର.ଉଦୟଗିରି,୨୫।୨(ଡି.ଏନ୍‌.ଏ.): ଭୋଟ ବାକ୍ସ ଖୋଲି ବାଲାଟ ପେପର ହେରଫେର ଆଶଙ୍କାରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସଏସଡି) ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଜଗି ରହିଛନ୍ତି ଭାଜପା ଏବଂ କଂଗ୍ରେସର ନେତା ଏବଂ କର୍ମୀ। ଟେଣ୍ଟ ପକାଇ ଦିନରାତି ପାଳି କରି ୨୪ ଘଣ୍ଟିଆ ପହରା ଦେଉଛନ୍ତି।

ଗତ ୧୬ ତାରିଖ ରାତିରୁ ଭାଜପା ଓ କଂଗ୍ରେସର ନେତା ଦିନରାତି ଉଜାଗର ରହି କାଳେ ପ୍ରଶାସନ ପକ୍ଷରୁ ଭୋଟ ପେଢ଼ିକୁ ହେରଫେର କରିଦେବା ଆଶଙ୍କାରେ ଷ୍ଟ୍ରଙ୍ଗରୁମ ସମ୍ମୁଖରେ ବସି ରହିଛନ୍ତି। ୨୮ ତାରିଖ ପର୍ଯ୍ୟନ୍ତ ଏହି ପହରା ଜାରି ରହିବ ବୋଲି କଂଗ୍ରେସ ଓ ଭାଜପାର ନେତା ଓ କର୍ମୀମାନେ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷେ ୩ଟି ଷ୍ଟ୍ରଙ୍ଗ ରୁମ କୋଠରୀରେ ୨ଟି ଲେଖାଏ ୬ଟି, ବାହାରେ ୨ଟି ଓ ପ୍ରବେଶ ପଥରେ ୨ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଷ୍ଟ୍ରଙ୍ଗରୁମର ସୁରକ୍ଷା ନିମନ୍ତେ ଏକ ପ୍ଳାଟୁନ ଫୋର୍ସ ବିଦ୍ୟାଳୟ ପରିସରରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବିଡିଓ ତପସ୍ବିନୀ ହାଁସଦା କହିଛନ୍ତି।