Categories: ଜାତୀୟ

ମହଙ୍ଗା ପଡ଼ିବ ଅଳସୁଆମୀ

ନୂଆଦିଲ୍ଲୀ,୨୧ା୧୦: ସୁସ୍ଥ ଶରୀର ପାଇଁ ବ୍ୟାୟାମ ଜରୁରୀ। ବିଶେଷକରି ଅତ୍ୟାଧୁନିକ ଜୀବନଶୈଳୀ ଯୋଗୁ ବିଭିନ୍ନ ପ୍ରକାର ଅସୁସ୍ଥତାରୁ ନିଜକୁ ରକ୍ଷା କରିବା ପାଇଁ ଏବେ ବ୍ୟାୟାମ ଅତ୍ୟାବଶ୍ୟକ ହୋଇପଡ଼ିଛି। ଜିମ୍‌, ପାର୍କ ତଥା ଘରେ ଏକ୍ସରସାଇଜକୁ ଆପଣାଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ହେଲେ ବିଶ୍ୱର ବହୁସଂଖ୍ୟାରେ ଲୋକେ ଏବେ ବି ନିଜ ଶରୀରକୁ ଅଣଦେଖା କରୁଛନ୍ତି। କୋଭିଡ୍‌ ମହାମାରୀ ପରେ ଚିକିତ୍ସା ସେବା ବାବଦ ବ୍ୟୟ ବଢ଼ିଛି। ଲୋକେ ଅନେକ ନୂଆ ରୋଗର ଶିକାର ହେଉଛନ୍ତି। ଅକାଳରେ ଲୋକଙ୍କ ଜୀବନ ଯାଉଥିବାରୁ ସମ୍ପୃକ୍ତ ଦେଶର ସରକାରଙ୍କୁ ଏ ବାବଦରେ ବ୍ୟାପକ କ୍ଷତି ହେଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ ନୂଆ ରିପୋର୍ଟ ଅନୁସାରେ ସୁସ୍ଥ ଜୀବନଶୈଳୀ ଆପଣା ନ ଗଲେ ଲୋକେ ଅଧିକ ମାତ୍ରାରେ କ୍ରନିକ୍‌ ଡିଜିଜ୍‌ (ଦୁରାରୋଗ୍ୟ ବା ଦୀର୍ଘ ସମୟ ପର୍ଯ୍ୟନ୍ତ ଚିକିତ୍ସା ଆବଶ୍ୟକ କରୁଥିବା ରୋଗ)ରେ ଆକ୍ରାନ୍ତ ହେବେ। ଏହାଦ୍ୱାରା ୨୦୩୦ ସୁଦ୍ଧା ବିଶ୍ୱବ୍ୟାପୀ ସରକାରଙ୍କ ବାର୍ଷିକ ୨୭ ବିଲିୟନ ଡଲାର ଖର୍ଚ୍ଚ ହେବ।
କହିବା ଅନୁସାରେ, ଶାରିରୀକ ପରିଶ୍ରମ ତଥା ବ୍ୟାୟାଗ ଅଭାବରୁ ୨୦୩୦ ସୁଦ୍ଧା ଡାଇବେଟିସ୍‌, ଡିମେଣ୍ଟିଆ, ଉଚ୍ଚ ରକ୍ତଚାପ ଆଦି ରୋଗରେ ପୀଡ଼ିତଙ୍କ ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇବ। ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ବିଭିନ୍ନ ଦେଶର ସରକାର ବଜେଟ୍‌ ବୃଦ୍ଧି କରିବାକୁ ବାଧ୍ୟ ହେବେ। ରିପୋର୍ଟରେ ୧୯୪ ଦେଶକୁ ଅନ୍ତର୍ଭୂକ୍ତ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୦%ରୁ କମ୍‌ ରାଷ୍ଟ୍ରର ସରକାର ସୁସ୍ଥ ଜୀବନଶୈଳୀ ଉପରେ କୌଣସି ସ୍ପଷ୍ଟ ଜାତୀୟ ନୀତି ନ ଥିବା କୁହାଯାଇଛି। ତେଣୁ ସରକାର ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ଲୋକଙ୍କୁ ସୁସ୍ଥ ଜୀବନଶୈଳୀ ଆପଣାଇବା ଦିଗରେ ପ୍ରୋତ୍ସାହିତ କରିବାକୁ ପଡ଼ିବ। ଉପଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ଆଦି ଦ୍ୱାରା କ୍ରନିକ୍‌ ଡିଜିଜ୍‌ରେ ଆକ୍ରାନ୍ତ ଆଶଙ୍କା ୩୦% ପର୍ଯ୍ୟନ୍ତ ହ୍ରାସ ପାଇପାରିବ ବୋଲି ରିପୋର୍ଟରେ କୁହାଯାଇଛି। ଶାରୀରିକ ଅସୁସ୍ଥତା ଯୋଗୁ ଜନସଂଖ୍ୟାର ଏକ ବଡ଼ ଭାଗ ବ୍ୟାପକ ସାମାଜିକ, ଅର୍ଥନୈତିକ, ପରିବେଶଗତ ସଂସ୍କାର ଦ୍ୱାରା ଉପକୃତ ହେବାରୁ ବଞ୍ଚିତ ହେବେ। ବିଶେଷକରି ନିମ୍ନଆୟ ବିଶିଷ୍ଟ ଦେଶଗୁଡ଼ିକରେ ଏହି ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ତେଣୁ ସରକାର ଏହାଗୁ ଗୁରୁତ୍ୱର ସହ ନେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରଇବା ଜରୁରୀ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି।

Share