ଦିଗପହଣ୍ଡି,୨୩ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରେ ଶ୍ରୀଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ଉତ୍ସବ ସୋମବାରଠାରୁ ଶୁଭାରମ୍ଭ ହୋଇଛି। ଏଥି ନିମନ୍ତେ ସମଗ୍ର ଗାଁ ଉତ୍ସବ ମୁଖର ହୋଇଛି। ପୂର୍ବାହ୍ନରେ ବହୁସଂଖ୍ୟକ ଶ୍ରଦ୍ଧାଳୁ ସ୍ଥାନୀୟ ପୋଖରୀରେ ପହଞ୍ଚି ଗଙ୍ଗା ଆବାହନ ଦୀକ୍ଷାଭିଶେକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପରେ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ଯଜ୍ଞସ୍ଥଳରେ ପହଞ୍ଚିଥିଲା। ବିଜୟ ପଦ୍ମନାଭପୁର ଲାଡ଼ି ଗାଁର ମୁଖ୍ୟ ପୁରୋହିତ ପ୍ରସନ୍ନ ଦାସ ଶର୍ମାଙ୍କ ପୌରୋହିତ୍ୟରେ କର୍ତ୍ତା ଭାବେ ଡ଼ା.ଏମ.ନାଗେଶ୍ୱର ଓ ତାଙ୍କ ସ୍ତ୍ରୀ ଏମ.ଚନ୍ଦ୍ରକଳା ଉପସ୍ଥିତ ରହି ପୁରୋହିତ ରବି କୁମାର ଶର୍ମା, ଜ୍ୟୋତିରାଜ ଦାସଙ୍କ ତତ୍ୱାବଧାନରେ ଅଙ୍କୁରାରୋପଣ କାର୍ଯ୍ୟ କରିଥିଲେ। ମଙ୍ଗଳବାର ବ୍ରାହ୍ମଣବରଣ, ଶାଲା ସଂସ୍କାର ପରେ ବୈଷ୍ଣବ ଅଗ୍ନି ସ୍ଥାପନ ଓ ୧୬ ପ୍ରହର ନାମ ସଙ୍କୀର୍ତ୍ତନ ସହ ମନ୍ଦିର ପ୍ରତିଷ୍ଠା କର୍ମାରମ୍ଭ ହେବ। ଆସନ୍ତା ଗୁରୁବାର ଉଦଯାପନ ସହ ମହାଯଜ୍ଞ ପୂର୍ଣ୍ଣାହୁତି ହେବ ।

