ଶଙ୍ଖ ଧରିଲେ ବହଳଦାର ପୂର୍ବତନ ବିଧାୟକ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ମୟୂରଭଞ୍ଜ ଜିଲା ବହଳଦାର ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ମିଶିଛନ୍ତି। ଲକ୍ଷ୍ମଣ ସୋରେନଙ୍କୁ ବିଧିବଦ୍ଧ ଭାବେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସ୍ବାଗତ କରିଛନ୍ତି । ଭାଜପାରୁ ୨୦୦୦ ମସିହାରେ ଜିତି ଥିବା ବେଳେ ୨୦୦୪ରୁ ଭାଜପା ଟିକେଟ ନ ପାଇବାରୁ କଂଗ୍ରେସରୁ ଲଢ଼ି ପରାଜିତ ହୋଇଥିଲେ । ପୁଣି ସେହି ୨୦୦୪ରେ ସେ ଭାଜପାକୁ ଫେରିଥିଲେ । କିନ୍ତୁ ଏହା ପରଠାରୁ ଭାଜପା ତାଙ୍କୁ ଆଉ ଲଢ଼ିବାକୁ ସୁଯୋଗ ଦେଇ ନଥିଲା, ଯେଉଁଥିପାଇଁ ସେ ଭାଜପା ଛାଡ଼ିଛନ୍ତି ।
ସେହିପରି ବୌଦ୍ଧର ପୂର୍ବତନ ଜିଲା ପରିଷଦ ସଭ୍ୟ ସୁଧୀର ମହାକୁଡ଼ କଂଗ୍ରେସ ଛାଡ଼ି ବିଜେଡିର ମିଶିଛନ୍ତି । ବୌଦ୍ଧ ଜିଲା କଂଗ୍ରେସ ସଭାପତି ଥିଲେ ସୁଧୀର। ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ମିଶିଛନ୍ତି। କଂଗ୍ରେସର ସଂଗଠନ ଦୁର୍ବଳ ହେଉଥିବା ବେଳେ କେହି ଏହାର ସଂଗଠନକୁ ସୁଦୃଢ଼ କରିବାକୁ ଚାହୁଁନାହାନ୍ତି, ଯେଉଁଥିପାଇଁ ସମର୍ଥକଙ୍କ ସହ କଂଗ୍ରେସ ଛାଡି ସୁଧୀର ମହାକୁଡ଼ ବିଜେଡିରେ ମିଶିଛନ୍ତି ।