ଆଇନଜୀବୀଙ୍କ ଆତ୍ମହତ୍ୟା

ରାଉରକେଲା ଅଫିସ,୨୮।୯: ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଡେଲିମାର୍କେଟ ଅଞ୍ଚଳରେ ରହୁଥିବା ରାଉରକେଲା ବାର୍‌ ଆସୋସିଏଶନର ପୂର୍ବତନ ସଭାପତି, ପୂର୍ବତନ ନଗରପାଳ ତଥା ବରିଷ୍ଠ ଆଇନଜୀବୀ ରମେଶ ବଳ(୬୨) ସୋମବାର ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ.୩୨।୨୨) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ପୋଲିସ ସୂଚନା ଅନୁସାରେ, ରମେଶ ବଳ ପେଷାରେ ଜଣେ ଆଇନଜୀବୀ। ସେ ନିଜ ଘରେ ଏକ ଅଫିସ୍‌ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ସେ ନିଜ ଅଫିସ ପଙ୍ଖାରେ ଏକ ପ୍ଲାଷ୍ଟିକ ରଶି ବାନ୍ଧି ଆତ୍ମହତ୍ୟା କରିଥିଲେ। ମଙ୍ଗଳବାର ସକାଳେ ପରିବାର ଲୋକେ ରମେଶଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ କରିଥିଲା। ତାଙ୍କ ଅଫିସ୍‌ ଟେବୁଲ ଉପରେ ଥିବା ଏକ ସୁଇସାଇଡ୍‌ ନୋଟ୍‌କୁ ପୋଲିସ ଜବତ କରିଛି। ଏହି ସୁଇସାଇଡ୍‌ ନୋଟ୍‌ରେ ଆତ୍ମହତ୍ୟାର ବିଭିନ୍ନ କାରଣ ଉଲ୍ଲେଖ ରହିଛି। ରମେଶ ମାନସିକ ଅବସାଦରେ ରହୁଥିଲେ। ତାଙ୍କର ଭୁଲ୍‌ ନିଷ୍ପତ୍ତି ଯୋଗୁ ଛେଣ୍ଡ୍‌ ସ୍ଥିତ କଳିଙ୍ଗ ବିହାର ଘର ତାଙ୍କ ହାତରୁ ଖସି ଯାଇଥିଲା ଏବଂ ପୁଅ ବୋହୂ ତାଙ୍କଠାରୁ ଦୂରେଇ ଯାଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଶାଶୁ, ଦେଢ଼ଶାଶୁ ଓ ସ୍ତ୍ରୀ ବହୁ ହଇରାଣ ହେଉଥିଲେ। ବିଭିନ୍ନ ସମୟରେ ତାଙ୍କ ପାଖରେ କେହି ରହୁ ନ ଥିବା ଏବଂ ମୃତ୍ୟୁ ପାଇଁ ସେ କାହାକୁ ଦାୟୀ କରି ନ ଥିବା ଉକ୍ତ ସୁଇସାଇଡ୍‌ ନୋଟରେ ଉଲ୍ଲେଖ କରାଯାଇଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସହରରେ ଶୋକର ଛାୟା ଖେଳିଯାଇଛି। ବହୁ ଆଇନଜୀବୀ, ସମାଜସେବୀ, ରାଜନେତା ଓ ସମ୍ପର୍କୀୟ ତାଙ୍କ ଘରେ ପହଞ୍ଚତ୍ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଆଇନଜୀବୀ ରମେଶ ବଳଙ୍କ ମୃତ୍ୟୁକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଓ ବହୁ ବୁଦ୍ଧିଜୀବୀଗଣ ଶୋକବ୍ୟକ୍ତ କରିଛନ୍ତି। ରମେଶ ୧୨ ବର୍ଷ ଧରି ରାଉରକେଲା ଓକିଲ ସଂଘ ସଭାପତି ଭାବେ କାର୍ଯ୍ୟ କରିଥିବାବେଳେ ରାଉରକେଲାର ନଗରପାଳ ମଧ୍ୟ ଥିଲେ।