Categories: ଜାତୀୟ

ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ…

ବେଙ୍ଗାଲୁରୁ,୧୫।୧୧: ଲୋକଙ୍କୁ ନ୍ୟାୟିକ ସହାୟତା ପ୍ରଦାନ କ୍ଷେତ୍ରରେ ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ। ଜଣେ କଷ୍ଟମ ଅଧିକାରୀଙ୍କ ପକ୍ଷରୁ ଆଇନଜୀବୀଙ୍କ ବିରୋଧରେ ଦାଖଲ କରାଯାଇଥିବା ଏକ ଅଭିଯୋଗକୁ କର୍ନାଟକ ହାଇକୋର୍ଟ ଖାରଜ କରି ଏଭଳି କହିଛନ୍ତି। କୋର୍ଟ କହିଛନ୍ତି ଯେ, ଆଇନଜୀବୀଙ୍କ ପାଇଁ ଏକ ନିର୍ଭୟ ପରିବେଶ ଆବଶ୍ୟକ। ଯାହାଦ୍ୱାରା ସେମାନେ ଭୟ ନ କରି ଯେକୌଣସି ମାମଲାରେ ଖଣ୍ଡପୀଠଙ୍କ ସମ୍ମୁଖରେ ନିଜର ଯୁକ୍ତି ଉପସ୍ଥାପନ କରି ପାରିବେ।

ବିଚାରପତି କୃଷ୍ଣ ଏସ୍‌. ଦୀକ୍ଷୀତ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆଇନ ଏକ ପ୍ରତିଷ୍ଠିତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଅନ୍ୟାୟ ବିରୋଧୀ ଲଢ଼େଇରେ ଆଶା ବିଶ୍ୱାସ ସୃଷ୍ଟି କରି ନ୍ୟାୟ ପ୍ରଦାନ କରିଥାଏ। ଏପରିସ୍ଥଳେ ଆଇନଜୀବୀଙ୍କ ପ୍ରତିଭାଶାଳୀ ବୁଦ୍ଧିର ବିକାଶ ଏବଂ ସୁସ୍ଥ ନ୍ୟାୟିକ ପରମ୍ପରା ଲାଗି ଭୟର ବାତାବରଣରୁ ଦୂରେଇ କାର୍ଯ୍ୟ କରିବା ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ନିଜର ସୃଜନଶୀଳ ବିଚାରଧାରାକୁ ଆଗକୁ ବଢ଼ାଇବା ଲାଗି ଆଇନଜୀବୀମାନେ ସ୍ବତନ୍ତ୍ର ଭାବେ କାମ କରିବାର ଆବଶ୍ୟକତା ରହିଛି। ମୁକ୍ତ ବିଚାର ଧାରା କ୍ଷେତ୍ରରେ ସମୟ ସମୟରେ କିଛି ବାଧା ସୃଷ୍ଟି ହୋଇଥାଏ। କେହିକେହି ଏହାକୁ ନେଇ ଟିପ୍ପଣୀ ମଧ୍ୟ ଦେଇଥାନ୍ତି। ତେବେ ଏସବୁର ସ୍ବାଗତ କରାଯିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। ଏହାଦ୍ୱାରା ଆଇନ ବ୍ୟବସ୍ଥା ଅଧିକ ସହଜ ହେବା ସହିତ ନାଗରିକଙ୍କ ସ୍ବତନ୍ତ୍ରତାରେ ବିକାଶ ଘଟିପାରିଥାଏ।

ସେହିପରି ନ୍ୟାୟାଳୟ ଏବଂ ନ୍ୟାୟ ନିର୍ଣ୍ଣାୟକ ପ୍ରାଧିକରଣ ଅଧିକ ସମ୍ବେଦନଶୀଳ ମଧ୍ୟ ନହେବା ଆବଶ୍ୟକ। ଏହା ସହିତ ନ୍ୟାୟିକ ବ୍ୟବସ୍ଥାର ସଞ୍ଚାଳନରେ ଆଇନଜୀବୀଙ୍କୁ ଅଧିକ ବ୍ୟବହାରିକ କରାଇବା ଉଚିତ। ଜଣେ ସୈନିକ ରାଷ୍ଟ୍ର ପାଇଁ କରୁଥିବା କାର୍ଯ୍ୟ ଭଳି ଆଇନ ବ୍ୟବସ୍ଥା କ୍ଷେତ୍ରରେ ଆଇନଜୀବୀ ମଧ୍ୟ ସମାନ କାମ ସମାଜ ଲାଗି କରିଥାନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।

Share