ବ୍ରହ୍ମପୁର,୪/୧(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଚାର୍ଜଶିଟ ଦାଖଲ କଲା ପୋଲିସ । ଦୁଇଟି ଟ୍ରଙ୍କରେ ଏହି ଚାର୍ଜଶିଟ ରହିଛି। ପ୍ରାୟ ୩୦ହଜାର ପୃଷ୍ଠାର ଚାର୍ଜଶିଟ ବୋଲି ଶୁଣିବାକୁ ମିଳିଛି । ଏହି ମାମଲାର ତଦନ୍ତକାରୀ ଅଧିକାରୀ ତଥା ଵ୍ରହ୍ମପୁର ଟାଉନ ଏସଡ଼ିପିଓ ସନ୍ଧ୍ୟାରେ ଜିଲା ଜଜ କୋର୍ଟ ପରିସରରେ ଥିବା ସିଏସଆଇ ଅଫିସରେ ପ୍ରାଥମିକ ଚାର୍ଜଶିଟ ଦାଖଲ କରିଛନ୍ତି । ଉକ୍ତ ମାମାଲଟି ଏସଡ଼ିଜେଏମ କୋର୍ଟରେ ରହିଛି। ସେ ସମସ୍ତ ଚାର୍ଜଶିଟ ଉକ୍ତ କୋର୍ଟରେ ଦାଖଲ ହେବ ବୋଲି ଜଣାପଡିଛି ।
ସ୍ବତନ୍ତ୍ର ଟ୍ରଙ୍କ ପେଢିରେ ଏହି ଚାର୍ଜଶିଟ କୋର୍ଟକୁ ନେଇ ଆସିଥିଲା ପୋଲିସ । ଅନ୍ୟପଟେ ଏନେଇ ଵ୍ରହ୍ମପୁର ଏସପିଙ୍କୁ ପଚାରିବାରୁ ସେ ଏନେଇ କିଛି କହିବି ନାହିଁ ବୋଲି କହିଛନ୍ତି। ପୂର୍ବରୁ ଗତ ଡ଼ିସେମ୍ବର ୯ ତାରିଖରେ ମାମଲାର ସିଡ଼ି ତଥା କେସ୍ ଡାଏରୀ ଦାଖଲ କରିଥିଲା ପୋଲିସ । ଏହି ମାମଲାରେ ପୋଲିସ ଗିରଫ କରିଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ରହିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ, ବିଜେଡ଼ି କର୍ପୋରେଟର ମଳୟ ବିଷୋୟୀ, ବିଜେଡ଼ି ନେତା ମଦନ ଦଳେଇ ରହିଛନ୍ତି । ଏହି ମାମଲାରେ ଜାମିନ ପାଇଁ ବିକ୍ରମ ପଣ୍ଡା ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ପ୍ରକାଶ ଥାଉକି ଗତ ଅକ୍ଟୋବର ୬ ତାରିଖ ରାତିରେ ବୈକୁଣ୍ଠନଗର ଛକରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।


