Categories: ମେଟ୍ରୋ

ମହିଳା ଆଇନଜୀବୀ ଦୀପାଳି ମୃତ୍ୟୁ ମାମଲା: ହାଇକୋର୍ଟରେ ପ୍ରେମିକଙ୍କ ଜାମିନ ଖାରଜ

ଭୁବନେଶ୍ୱର,୧୮।୯ (ବ୍ୟୁରୋ): ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ବିଜୟବିହାରରେ ରହୁଥିବା ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା ମୃତ୍ୟୁ ମାମଲାରେ ପ୍ରେମିକ ବିକ୍ରମ କେଶରୀ ମିଶ୍ରଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ଭୁବନେଶ୍ୱର ଜିଲା ଦୌରାଜଜ୍‌ କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଗତ ଫେବୃୟାରୀରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟର ଏକ ଖଣ୍ଡପୀଠ ମାମଲାର ଶୁଣାଣି କରି ଜାମିନ ଦେବାକୁ ମନା କରିଛନ୍ତି। ମାମଲାର ଟ୍ରାଏଲ ଚାଲିଥିବାରୁ ବିକ୍ରମଙ୍କୁ ଜାମିନ ଦେଲେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ସହ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିପାରନ୍ତି। ଏହାସହ ଜଣେ ଆଇନିଜୀବୀଙ୍କ କ୍ଷେତ୍ରରେ ଏଭଳି ଘଟିଥିବାରୁ ଦୋଷୀଙ୍କୁ ଜାମିନ ନ ଦିଆଯାଉ ବୋଲି ମୃତ ଦୀପାଳିଙ୍କ ଭଉଣୀ ଇତିଶ୍ରୀ ଜେନାଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ କୁମାର ସାହୁ ଓ ଲକ୍ଷ୍ମୀନାରାୟଣ ପଟେଲ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ।
ସୂଚନାଯୋଗ୍ୟ, ଦୀପାଳି ବିଜୟବିହାରରେ ଘର ଭଡା ନେଇ ମା’ ଓ ସାନ ଭଉଣୀଙ୍କ ସହ ରହୁଥିଲେ। ସେ ଭୁବନେଶ୍ୱର ବାର୍‌ରେ ଓକିଲ ଭାବେ କାର୍ଯ୍ୟ କରୁଥିଲେ। ପ୍ରେମିକ ବିକ୍ରମଙ୍କ ସହ ତାଙ୍କର ବିବାହ ମଧ୍ୟ ଠିକ୍‌ ହୋଇଥିଲା। ଅକ୍ଟୋବର ୧୯ରେ ଦୀପାଳିଙ୍କ ମା’ ଗଁାକୁ ଚାଲିଯାଇଥିବାବେଳେ ସନ୍ଧ୍ୟାରେ ବିକ୍ରମ ହଠାତ୍‌ ତାଙ୍କ ଘରେ ପହଞ୍ଚତ୍ବାରୁ ସାନଭଉଣୀ ସାଙ୍ଗଙ୍କ ଘରକୁ ପଳାଇଥିଲେ। ରାତି ୧୨ଟା ପରେ ଦୀପାଳି ଘର ଭିତରୁ କବାଟ ବନ୍ଦ କରି ଦେଇଛନ୍ତି ବୋଲି ସାନ ଭଉଣୀକୁ ଜଣାଇ ଫେରାର ହୋଇଯାଇଥିଲେ। ପରେ ପୋଲିସ ପହଞ୍ଚତ୍ କବାଟ ଲକ୍‌ ତାଡ଼ି ଝୁଲନ୍ତା ଅବସ୍ଥାରେ ଦୀପାଳିଙ୍କ ମୃତଦେହ ଉଦ୍ଧାର କରିଥିଲା। ବିକ୍ରମଙ୍କ ପାଇଁ ଦୀପାଳି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଧଉଳି ପୋଲିସ କେସ୍‌ ନଂ-୧୭୧/୧୯ ରୁଜୁ କରି ତଦନ୍ତ କରିଥିଲା। ୨୦୨୦ ଜାନୁୟାରୀ ୨୮ରେ ବିକ୍ରମ ଭୁବନେଶ୍ୱର କୋର୍ଟରେ ଆତ୍ମସର୍ମପଣ କରିଥିଲେ।