ସଂସଦରେ ଶଟଡାଉନ ଉପରେ ଭୋଟିଂ ପୂର୍ବରୁ ସାଂସଦ ଦବାଇଲେ ଫାୟାର ଆଲାର୍ମ, ସୃଷ୍ଟି ହେଲା ଭୟର ବାତାବରଣ

ଓ୍ବାଶିଂଟନ,୧।୧୦: ଆମେରିକାର ପ୍ରତିନିଧି ସଭାର ସଦସ୍ୟ ତଥା ଡେମୋକ୍ରାଟିକ ସାଂସଦ ଜମାଲ ବୋମନ ଶନିବାର ସରକାରୀ ଅର୍ଥ ବିଲ ଉପରେ ଭୋଟ ଦେବାର କିଛି ସମୟ ପୂର୍ବରୁ କାନନ ହାଉସ ଅଫିସ ବିଲ୍ଡିଂରେ ଫାୟାର ଆଲାର୍ମ ବଜାଇଥିଲେ, ଏହାପରେ ବୋମନଙ୍କ ଏହି କାମକୁ ନେଇ ବହୁ ସମାଲୋଚନା ହୋଇଥିଲା। ହାଉସ ସ୍ପିକର କେଭିନ ମ୍ୟାକକାର୍ଥି ଏହାକୁ ଜାନୁୟାରୀ ୬, ୨୦୨୧ରେ କ୍ୟାପିଟାଲ ହିଲ ବିଲ୍ଡିଂ ଉପରେ ହୋଇଥିବା ଆକ୍ରମଣ ସହ ତୁଳନା କରିଛନ୍ତି ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏହି ପ୍ରସଙ୍ଗରେ ହାଉସ ସ୍ପିକର କେଭିନ ମ୍ୟାକକାର୍ଥି କହିଛନ୍ତି ଯେ ଗୃହ ଏଥିକ୍ସ କମିଟି ଏହି ଘଟଣା ଉପରେ ଦୃଷ୍ଟି ଦେବା ଉଚିତ। ମୁଁ ଭାବୁଛି ମାମଲା ଗମ୍ଭୀର ଅଟେ। ସେ କହିଛନ୍ତି ଯେ ସେ ଜେଫ୍ରିଜଙ୍କ ସହ ଏହି ଘଟଣା ବିଷୟରେ ଆଲୋଚନା କରିବେ। ସେ ଆହୁରି କହିଛନ୍ତି ଯେ ଏହା ଲଜ୍ଜାଜନକ ବିଷୟ ଏବଂ ଏଥିପାଇଁ ଦଣ୍ଡ ଦିଆଯିବା ଉଚିତ।
ସୂଚନାଯୋଗ୍ୟ, ସରକାରୀ କାର୍ଯ୍ୟରେ ‘ଶଟଡାଉନ’ ଧମକକୁ ଏଡ଼ାଇବା ପାଇଁ ଆମେରିକା ସଂସଦରେ କାର୍ଯ୍ୟ ଚାଲିଥିଲା। ଏହି ସମୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଫାଇନାନ୍ସ ବିଲ ପାରିତ ହେବାକୁ ଥିଲା, କିନ୍ତୁ ଗୃହର ପ୍ରକ୍ରିୟା ସମୟରେ ଫାୟାର ଆଲାର୍ମ ବାଜିବା ଆରମ୍ଭ ହୋଇଥିଲା ଏବଂ ସେଠାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।
ଭୟର ବାତାବରଣ ମଧ୍ୟରେ ଗୃହକୁ ଶୀଘ୍ର ଖାଲି କରାଯାଇଥିଲା, କିନ୍ତୁ ଡେମୋକ୍ରାଟିକ ସାଂସଦ ଜମାଲ ବୋମନ ପରେ ଆଲାର୍ମ ବଜାଇବା ସ୍ବୀକାର କରିଥିଲେ। ଏହି ଫାୟାର ଆଲାର୍ମ ଯୋଗୁଁ ସମଗ୍ର ଗୃହକୁ ଖାଲି କରିବାକୁ ପଡିଲା।

Share