୬ ମାସରେ ୪ଟି ସେମିଷ୍ଟର ଅଫ୍‌ଲାଇନ ପରୀକ୍ଷା ନେଇ ଆଇନ୍‌ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ସୋମବାର ଆଇନ ଛାତ୍ରୀଛାତ୍ର ବିକ୍ଷୋଭ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଥିବା ୟୁନିଭରସିଟି ଲ କଲେଜ, କ୍ୟାପିଟାଲ ଲ କଲେଜ, ଏମ୍‌ଏସ୍‌ ଲ କଲେଜ ଏବଂ ଦ ଲ କଲେଜ ଛାତ୍ରୀଛାତ୍ର ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ତରବରିଆ ଭାବେ ୬ମାସରେ ୪ଟି ସେମିଷ୍ଟର ଅଫଲାଇନ ପରୀକ୍ଷା କରାଇବା ନିଷ୍ପତ୍ତି ବିରୋଧରେ ଏହି ବିକ୍ଷୋଭ ହୋଇଛି। ଏହା ବାର୍‌ କାଉନସିଲ ନିୟମର ବିରୋଧାଚରଣ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଦେଢ଼ ବର୍ଷ ହେଲା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିଛି କହୁ ନ ଥିବା ବେଳେ ଏବେ କହୁଛନ୍ତି ୬ ମାସରେ ୪ଟି ସେମିଷ୍ଟର ପରୀକ୍ଷା ଦିଅ । ଯାହା ସମ୍ପୂର୍ଣ୍ଣ ଅସମ୍ଭବ ବୋଲି ଶତାଧିକ ଆଇନ ଛାତ୍ରୀଛାତ୍ର କହିଛନ୍ତି ।ଏ ନେଇ ୭, ୮, ୯, ୧୦ ସେମିଷ୍ଟର ଅନ୍‌ଲାଇନ ମୋଡ଼ରେ କରିବାକୁ ନେଇ କୁଳପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରା ନ ଗଲେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ଆଇନ ଛାତ୍ରୀଛାତ୍ର କହିଛନ୍ତି ।
ଅନ୍ୟପଟେ ପରୀକ୍ଷା ନିୟନ୍ତ୍ରକ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି । ଛାତ୍ରୀଛାତ୍ରଙ୍କ ସ୍ବର୍ଥକୁ ଦୃଷ୍ଟିରେ ରଖି ଆସନ୍ତା ୨୫ରେ ବସିବାକୁ ଥିବା କମିଟିରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।