ନୂଆଦିଲ୍ଲୀ, ୨ା୧୧: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରବିବାର ଇପିଏଫ୍ଓର ହ୍ବାଟ୍ସଆପ୍ ସେବାର ଶୁଭାରମ୍ଭ କରିଛନ୍ତି। ଏହି ସେବା ଇପିଏଫ୍ ସଦସ୍ୟମାନଙ୍କୁ ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ବାଲାନ୍ସ, ଶେଷ ୫ଟି କାରବାର ଓ ପାସ୍ବୁକ୍ ସୂଚନା ପ୍ରଦାନ କରିବ। ଏଥିସହିତ ସଦସ୍ୟମାନେ ପିଏମ୍-ଭିବିଆର୍ଓ୍ବାଇ ସମ୍ପର୍କିତ ଆବଶ୍ୟକତା ପୂରଣ କରି ବ୍ୟକ୍ତିଗତ ପରାମର୍ଶ ଓ ସହାୟତା ପାଇପାରିବେ। କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ)ର ୭୪ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଉଦ୍ବୋଧନ ଦେଇ ମନ୍ତ୍ରୀ ମାଣ୍ଡବ୍ୟ କହିଛନ୍ତି, ହ୍ବାଟ୍ସଆପ୍ ସେବା ଏକ ଜଣାଶୁଣା ମୋବାଇଲ ପ୍ଲାଟ୍ଫର୍ମ ଜରିଆରେ ନିୟମିତ ସେବାଗୁଡ଼ିକୁ ସହଜରେ ଉପଲବ୍ଧ କରାଇବ ଏବଂ ଇପିଏଫ୍ଓ କାର୍ଯ୍ୟାଳୟ ଯିବା ଆବଶ୍ୟକତା ହ୍ରାସ ପାଇବ। ଏଥିସହିତ ଆଧାର ଯାଞ୍ଚ ହୋଇଥିବା ଓ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ଥିବା ନିଷ୍କ୍ରିୟ ଇପିଏଫ୍ ଖାତାଗୁଡ଼ିକର ଗ୍ରାହକମାନଙ୍କୁ ସ୍ବନ୍ତ୍ର ଭାବେ ଦାବି ଦାଖଲ କରିବାକୁ ପଡ଼ିବ ନାହିଁ। ନିର୍ଦ୍ଧାରିତ ପରିଚୟ ଏବଂ ବ୍ୟାଙ୍କ ଖାତା ଯାଞ୍ଚ ପରେ ଇପିଏଫ୍ଓ ସ୍ବତଃ ନିଜଆଡ଼ୁ ସମାଧାନ ପ୍ରକ୍ରିୟା ଆରମ୍ଭ କରିବ ଏବଂ ପ୍ରକୃତ ହିତାଧିକାରୀଙ୍କ ପାଖକୁ ଯୋଗ୍ୟ ଦେୟ ପଠାଇବ। ଏହା ଦ୍ୱାରା ୫ କୋଟି ଟଙ୍କା ଥିବା ପ୍ରାୟ ୧ ଲକ୍ଷ ଆକାଉଣ୍ଟ ଲାଭବାନ୍ ହେବ ବୋଲି ଆଶା କରାଯାଉଛି।