Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅନ୍ନଦାତାଙ୍କୁ ପୋଲିସର ଲାଠି ମାଡ଼

କର୍ନାଲ,୧୦।୧: କୃଷି ଆଇନକୁ ନେଇ ପ୍ରଦର୍ଶନ କରୁଥିବା ଅନ୍ନଦାତାଙ୍କ ଦୁଃଖ ବୁଝିବା ତ ଦୂରର କଥା ବରଂ ସେମାନଙ୍କ ଉପରେ ଲଗାତାର ଲାଠିମାଡ଼ ହେବାରେ ଲାଗିଛି। ଏବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସଭାରେ ପ୍ରଦର୍ଶନକାରୀ ଅନ୍ନଦାତାଙ୍କ ଉପରେ ପୋଲିସ ପକ୍ଷରୁ ଲାଠି ମାଡ଼ କରାଯାଇଛି। କର୍ନାଲର କାଇମଲା ଗାଁରେ ମୁଖ୍ୟମନ୍ତ୍ରୀ କିଷାନ ମହାପଞ୍ଚାୟତ ସଭାରେ ଚାଷୀଙ୍କ ସହିତ ନୂଆ ଆଇନ ସମ୍ପର୍କରେ ଆଲୋଚନା କରିବା ସହିତ ଏହାର ଲାଭ ବିଷୟରେ ବୁଝାଇବାର କାର୍ଯ୍ୟକ୍ରମ ଥିଲା। ମାତ୍ର ସଭାସ୍ଥଳରେ ଆନ୍ଦୋଳନକାରୀ ଚାଷୀମାନେ ପହଞ୍ଚି ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ବୁଝାଇବାକୁ ଚେଷ୍ଟା କରିଥିଲେ। ତେବେ ଏହାକୁ ଚାଷୀମାନେ ଶୁଣି ନ ଥିଲେ। ସେମାନେ ସଭାମଞ୍ଚ ଭାଙ୍ଗିବା ସହିତ ପଡ଼ିଥିବା ଚେୟାର ଟେବୁଲ୍‌ ପୋଫଡ଼ା ଫିଙ୍ଗା କରିଥିଲେ। ପ୍ରଦର୍ଶନକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଲାଇବା ପାଇଁ ନିର୍ମାଣ କରାଯାଇଥିବା ହେଲିପ୍ୟାଡ୍‌ରେ ଜମା ହୋଇ ବିଭିନ୍ନ ସ୍ଲୋଗାନ୍‌ ଦେବା ଆରମ୍ଭ କରିଥିଲେ। ପୋଲିସ ଘଟଣାସ୍ଥଳରୁ ଭିଡ଼ ହଟାଇବା ପାଇଁ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହିତ ଲାଠିଚାର୍ଜ କରିଥିଲେ। ଏହା ସହିତ ସେମାନଙ୍କ ଉପରେ ପାଣି ମାଡ଼ ମଧ୍ୟ କରିଥିଲେ।

Share