Categories: ଜାତୀୟ

ଶେଷ ୩ ଅଭିଯୁକ୍ତ ଦୋଷମୁକ୍ତ

ଅହମ୍ମଦାବାଦ, ୧ା୪: ଇସ୍‌ରତ ଜହାଁ ଏନକାଉଣ୍ଟର ମାମଲାରେ ଗୁଜରାଟର ଅହମ୍ମଦାବାଦସ୍ଥିତ ସ୍ବତନ୍ତ୍ର ସିବିଆଇ କୋର୍ଟ ଶେଷ ତିନି ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଜଜ୍‌ ଭି. ଆର୍‌ ରାଓ୍ବଲ ବୁଧବାର ଏହା ଫେକ୍‌ ଏନ୍‌କାଉଣ୍ଟର ନୁହେଁ ବୋଲି ଦର୍ଶାଇବା ସହ ଅଭିଯୁକ୍ତ ଜି. ଏଲ୍‌. ସିଂଘଲ, ତରୁଣ ବାରୋଟ୍‌(ଅବସରପ୍ରାପ୍ତ) ଏବଂ ଅନାଜୁ ଚୌଧୁରୀଙ୍କ ଆବେଦନକୁ ଅନୁମତି ଦେଇଛନ୍ତି। ଏଥିସହ ସେମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ଜଡ଼ିତ ଅନ୍ୟ ଅଭିଯୁକ୍ତ ମୁକୁଳି ସାରିଛନ୍ତି।
ଇସ୍‌ରତ ଜହାଁ ଙ୍କ ସମେତ ଆଉ ୩ ଜଣଙ୍କ ମୃତ୍ୟୁ ଘଟଣାରେ ଗୁଜରାଟ ପୋଲିସ ଉପରେ ଏନ୍‌କାଉଣ୍ଟର ଅଭିଯୋଗ ଆସିଥିଲା। ମାମଲାରେ ପୂର୍ବରୁ ୪ ପୋଲିସ ଅଧିକାରୀଙ୍କୁ ଦୋଷମୁକ୍ତ କରାଯାଇଥିଲା। ଆତଙ୍କବାଦୀ ସଙ୍ଗଠନ ସହ ଇସ୍‌ରତ ଓ ଅନ୍ୟ ୩ ଜଣଙ୍କ ସମ୍ପୃକ୍ତି ଥିବା ଏବଂ ତତ୍‌କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ସେମାନେ ଷଡ଼ଯନ୍ତ୍ର କରୁଥିବା ପୋଲିସ କହିଥିଲା। ପୋଲିସ ସହ ମୁହାଁମୁହିଁ ବେଳେ ଇସ୍‌ରତଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ପକ୍ଷରୁ ୨୦୧୩ରେ ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା। ସେଥିରେ ୭ ପୋଲିସ ଅଧିକାରୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ଶୁଣାଣିବେଳେ କୋର୍ଟ କହିଥିଲେ, କୌଣସି ପ୍ରମାଣରୁ ଏହା ପ୍ରମାଣିତ ହୋଇନାହିଁ ଯେ ଇସରତ୍‌ଙ୍କ ସମେତ ଅନ୍ୟ ୩ ଜଣ ଆତଙ୍କବାଦୀ ନ ଥିଲେ। ପୂର୍ବରୁ ୪ ଅଧିକାରୀ ଦୋଷମୁକ୍ତ ହୋଇଥିଲେ ହେଁ ସିବିଆଇ ପକ୍ଷରୁ ଏହି ନିଷ୍ପତ୍ତି ବିରୋଧରେ କୌଣସି ଅପିଲ କରାଯାଇ ନାହିଁ। ସେହି ଆଧାରରେ ବଳକା ୩ ପୋଲିସ ଅଧିକାରୀ ସେମାନଙ୍କ ମୁକ୍ତି ପାଇଁ କୋର୍ଟରେ ଆବେଦନ କରିଥିଲେ।

Share