୪ ରାଜ୍ୟ ଶେଷ ଭରସା

ଓ୍ବାଶିଂଟନ,୨ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ଦୁଇଦିନ ବାକି ଥିବାବେଳେ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ସମ୍ଭାବନା ଥିବା ନେଇ ବିଶ୍ଳେଷକମାନେ କହୁଥିବାବେଳେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ ୪ ବର୍ଷ ତଳେ ହିଲାରୀ କ୍ଲିଣ୍ଟନଙ୍କ ଅପେକ୍ଷା ଭଲ ସ୍ଥିତିରେ ଅଛନ୍ତି। ମହାମାରୀ କରୋନା ସଂକ୍ରମଣ ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ୯୨ ନିୟୁତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିସାରିଲେଣି।
ମିଳିଥିବା ସୂଚନାନୁସାରେ ମୁଖ୍ୟ ଝୁଲା ରାଜ୍ୟଗୁଡ଼ିକରେ ରିପବ୍ଲିକାନ୍‌ ନୋମିନି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ଡେମୋକ୍ରାଟିକ୍‌ ପ୍ରତିଦ୍ୱନ୍ଦ୍ୱୀ ବାଇଡେନ୍‌ ଆଗୁଆ ଅଛନ୍ତି। ପେନ୍‌ସିଲଭାନିଆ, ଫ୍ଲୋରିଡା ଓ ଆରିଜୋନାରେ ବାଇଡେନ ସାମାନ୍ୟ ଆଗରେ ଥିବାବେଳେ ଓ୍ବିସ୍କୋନ୍‌ସିନରେ ଏହି ବ୍ୟବଧାନ ଅଧିକ ରହିଛି। ନ୍ୟୁୟର୍କ ଟାଇମ୍ସ/ସିଏନା କଲେଜ୍‌ ପୋଲ୍‌ ଅନୁସାରେ ଟ୍ରମ୍ପ୍‌ ପୁଣି ୪ ବର୍ଷ ହ୍ବାଇଟ୍‌ ହାଉସ୍‌ରେ ରହିବେ ନା ବାଇଡେନ ତାଙ୍କୁ କ୍ଷମତାଚ୍ୟୁତ କରି ଏହାକୁ ଦଖଲ କରିବେ ତାହା ଏହି ୪ ଝୁଲା ରାଜ୍ୟ ନିର୍ଦ୍ଧାରଣ କରିବ। ବାଇଡେନ୍‌ ଓ୍ବିସ୍କୋନ୍‌ସିନ ଓ ଫ୍ଲୋରିଡାରେ ୩.୨ ପଏଣ୍ଟ ଆଗରେ ଥିବାବେଳେ ଆରିଜୋନାରେ ୩ ଓ ପେନ୍‌ସିଲଭାନିଆରେ ୨.୪ ପଏଣ୍ଟ ଆଗରେ ରହିଛନ୍ତି। ଅକ୍ଟୋବର ୨୬ରୁ ୩୧ ମଧ୍ୟରେ ପ୍ରତ୍ୟେକ ରାଜ୍ୟର ୧,୨୦୦ ଜଣଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା।
ନିର୍ବାଚନରେ ଟ୍ରମ୍ପ୍‌ ଉପରୋକ୍ତ ୪ ରାଜ୍ୟରେ ଡେମୋକ୍ରାଟ୍‌ ହିଲାରୀ କ୍ଲିଣ୍ଟନଙ୍କଠାରୁ ପଛରେ ଥିଲେ। ପପୁଲାର ଭୋଟରେ ପଛୁଆ ଥାଇ ମଧ୍ୟ ଟ୍ରମ୍ପ ଜିତିଥିଲେ। କିନ୍ତୁ ସେତେବେଳେ ହିଲାରି ଯେଉଁ ସ୍ଥିତିରେ ଥିଲେ ଏଥର ବାଇଡେନ୍‌ଙ୍କ ପ୍ରଦର୍ଶନ ତା’ଠୁ ଭଲ ଥିବା କୁହାଯାଉଛି। ତେଣୁ ଟ୍ରମ୍ପ୍‌ଙ୍କୁ ବିଜୟୀ ହେବାକୁ ହେଲେ ଅନୂ୍ୟନ ଦୁଇଟି ରାଜ୍ୟରେ ଜିତିବାକୁ ପଡ଼ିବ ବୋଲି ଟାଇମ୍ସ ପୋଲ୍‌ ପକ୍ଷରୁ ରବିବାର ପ୍ରକାଶିତ ରିପୋର୍ଟ ଦର୍ଶାଇଛି। ଏଥିପାଇଁ ଟ୍ରମ୍ପ୍‌ ଶେଷ ୪୮ ଘଣ୍ଟା ବ୍ୟାଟଲଗ୍ରାଉଣ୍ଡ ଷ୍ଟେଟ୍‌ଗୁଡ଼ିକରେ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ଟ୍ରମ୍ପ୍‌ ଏହି ୪ ରାଜ୍ୟରେ ରବିବାର ୫ଟି ରାଲି କରିଥିବାବେଳେ ସୋମବାର ୭ଟି ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।

Share