ବଦଳିଲା ଶେଷ ପରୀକ୍ଷା ତାରିଖ

କଟକ ଅଫିସ,୧ା୩: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ର ମୁଖ୍ୟ ଲିଖିତ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଏ ନେଇ ମଙ୍ଗଳବାର ଓପିଏସ୍‌ସି ପକ୍ଷରୁ ସଂଶୋଧିତ ପରୀକ୍ଷା ସୂଚୀର ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ୧୩ରେ ହେବାକୁ ଥିବା ଫିଲୋସୋଫି ଏବଂ ସାଇକୋଲୋଜି ବିଷୟର ପେପର-୨ ପରୀକ୍ଷା ୧୮ ତାରିଖରେ ଅନୁଷ୍ଠିତ ହେବ। କେବଳ ଏହି ପରୀକ୍ଷା ତାରିଖକୁ ବାଦ୍‌ ଦେଲେ ଅନ୍ୟ କୌଣସି ତାରିଖରେ ପରିବର୍ତ୍ତନ କରାଯାଇନାହିଁ।
ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁୟାରୀ ୪ରେ ଓସିଏସ୍‌-୨୦୨୧ର ମୁଖ୍ୟ ଲିଖିତ ପରୀକ୍ଷା ସୂଚୀ ପ୍ରକାଶ ପାଇଥିଲା। ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଜାନୁୟାରୀ ୧୬ରେ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ଯେଉଁଥିରେ ଫେବୃୟାରୀ ୧୯ରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ପୁଣି ଫେବୃୟାରୀ ୧୦ରେ ଓପିଏସ୍‌ସି ପକ୍ଷରୁ ଆଉ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିରେ ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ଉଲ୍ଲେଖ ଥିଲା। ଏଥିରେ କେବଳ ୩ଟି ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଥିଲା। ହେଲେ ଏବେ ପୁଣି ଶେଷ ଦିନ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି।
ଗତବର୍ଷ ଅକ୍ଟୋବର ୧୬ରେ ଓସିଏସ୍‌-୨୦୨୧ ପ୍ରିଲିମିନାରି ପରୀକ୍ଷା ହେଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ପରୀକ୍ଷା ଦେଉଛନ୍ତି। ପ୍ରତିଦିନ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେଉଛି। ୩ ଘଣ୍ଟା ଧରି ପରୀକ୍ଷା ହେଉଥିବାବେଳେ କେବଳ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ଏକ ଘଣ୍ଟା ସମୟ ଦିଆଯାଉଛି।