ଲକ୍ଷ୍ନୌ,୮।୯: ଉତ୍ତରପ୍ରଦେଶର ମବାନା ଅଞ୍ଚଳର ଏକ ଘରୋଇ ସ୍କୁଲରେ ଘଟିଛି ଦୁଃଖଦ ଘଟଣା। ସପ୍ତମ ଶ୍ରେଣୀର ୧୩ ବର୍ଷୀୟ ଛାତ୍ର କୁନାଲ ଶର୍ମାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି। ସ୍କୁଲ୍ ଛୁଟି ପରେ ତାଙ୍କୁ ୱାଶରୁମ୍ ଭିତରେ ଅଚେତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଡାକ୍ତରଙ୍କ ପ୍ରାଥମିକ ଯାଞ୍ଚରେ ହୃଦ୍ଘାତ ହେବାର ଆଶଙ୍କା ପ୍ରକାଶ ପାଇଛି।
କୁନାଲ ମବାନାର କାବିଲି ଗେଟ୍ ଅଞ୍ଚଳର ଧର୍ମେନ୍ଦ୍ର ଶର୍ମାଙ୍କ ପୁଅ ଏବଂ ସେ ଏକ ବେସରକାରୀ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ଥିଲେ। ସୋମବାର ସେ ପ୍ରତିଦିନ ଭଳି ସ୍କୁଲ୍ ଯାଇଥିଲେ। ଛୁଟି ପରେ ପିଲାମାନଙ୍କୁ ଘରକୁ ନେବା ପାଇଁ ଇ-ରିକ୍ସା ଚାଳକ ସ୍କୁଲ୍ ବାହାରେ ଅପେକ୍ଷା କରୁଥିଲେ। ଅନ୍ୟ ପିଲାମାନେ ଇ-ରିକ୍ସାରେ ଚଢ଼ିଥିଲେ ମଧ୍ୟ କୁନାଲ ବାହାରକୁ ଆସିନଥିଲେ। ପ୍ରାୟ ୧୫ ମିନିଟ୍ ଅପେକ୍ଷା କରିବା ପରେ ଚାଳକ ତାଙ୍କୁ ଖୋଜିବା ପାଇଁ ସ୍କୁଲ୍ ଭିତରକୁ ଯାଇଥିଲେ। ଖୋଜାଖୋଜି ପରେ ୱାଶରୁମ୍ରେ କୁନାଲଙ୍କୁ ଅଚେତ ଅବସ୍ଥାରେ ଦେଖିଥିଲେ। ପରେ ସ୍କୁଲ୍ କର୍ତ୍ତୃପକ୍ଷ ଓ ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସର କହିବା ଅନୁସାରେ, ସ୍କୁଲ୍ରେ ହଠାତ୍ ହୃଦସ୍ପନ୍ଦନ ବନ୍ଦ ହେବାରୁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଘଟଣା ପରେ ଛୁଟି ହେବା ପରେ ଛାତ୍ର ୱାଶରୁମ୍ରେ ଏତେ ସମୟ ଧରି ରହିଥିବା ସତ୍ତ୍ୱେ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ନଜରକୁ ଏହା କାହିଁକି ଆସିଲା ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ସ୍କୁଲ୍ର CCTV ଫୁଟେଜ୍ ଯାଞ୍ଚ କରାଯାଉଥିବା ନେଇ ମଧ୍ୟ ରିପୋର୍ଟ ରହିଛି। ପରିବାର ପକ୍ଷରୁ ପୋଲିସରେ କୌଣସି ଅଭିଯୋଗ ଦିଆଯାଇନଥିବା ରିପୋର୍ଟରେ କୁହାଯାଇଛି। ଘଟଣାର ପ୍ରକୃତ କାରଣ ନେଇ ଅଧିକ ସ୍ପଷ୍ଟତା ପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ଆଇନଗତ ପଦକ୍ଷେପ ଜାରି ରହିଛି।