ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ରେଳବାଇର ପୂର୍ବତନ କର୍ମଚାରୀ ଏସ. ଭାସ୍କର ରାଓ ଚିକିତ୍ସା ପାଇଁ ବିଶାଖାପାଟଣା ଯାଇଥିବାବେଳେ ତାଙ୍କ ଭଣଜା କେ. ଶ୍ରୀନୁ ମଧ୍ୟ କାର୍ଯ୍ୟରେ ଜିଲା ବାହାରକୁ ଯାଇଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତ ତାଲା ଭାଙ୍ଗି ଚୋରି କରିଥିଲେ।
ଭାସ୍କର ରାଓଙ୍କ ଘରୁ ପ୍ରାୟ ୩୦ ତୋଳା ସୁନା ଓ ନଗଦ ଟଙ୍କା ଏବଂ ଶ୍ରୀନୁଙ୍କ ଘରୁ ପ୍ରାୟ ୨୦ ତୋଳା ସୁନା ସହ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ଚୋରି ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ମେଘରାଜ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଅଞ୍ଚଳରେ ବାରମ୍ବାର ଚୋରି ଘଟୁଥିବାରୁ ପୁଲିସ ପକ୍ଷରୁ କଡ଼ା ପାଟ୍ରୋଲିଂ ସହ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 

Share