ହୋଲି ପାଇଁ ସମ୍ବଲପୁର ଆସୁଥିଲା ବହୁ ପରିମାଣର କଫ ସିରପ: ଜବତ କଲା ପୋଲିସ

ସମ୍ବଲପୁର,୨୫।୩(ପ୍ରମୋଦ ବହିଦାର): ସମ୍ବଲପୁର ପୋଲିସ ଏକ ବଡ଼ ଧରଣର କଫ ସିରପ ର଼୍ୟାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି। ସଦର ଥାନା ପୋଲିସ ନିଲଡୁଙ୍ଗରିରୁ ୪୫ଟି ପେଟିରେ ୧୮୦ ମିଲିଲିଟର ବିଶିଷ୍ଟ ପ୍ରାୟ ୧୦ ହଜାର ୮ଶହ(୧୦୮୦ ଲିଟର) ନିଷିଦ୍ଧ କଫସିରପ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨୬ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

ଏ ସମ୍ପର୍କରେ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ହୋଲି ପାଇଁ ପଶ୍ଚିମବଙ୍ଗରୁ ବ୍ୟାପକ ପରିମାଣର କଫ ସିରପ ସମ୍ବଲପୁର ଆସୁଥିବା ସମ୍ପର୍କରେ ସଦର ଥାନା ପୋଲିସକୁ ଖବର ମିଳିଥିଲା।

ଉକ୍ତ ଖବର ଆଧାରରେ ପୋଲିସ ଟିମ୍‌ ନିଲଡୁଙ୍ଗୁରିରେ ଚଢ଼ାଉକରି ବେଆଇନ ଭାବେ ଏକ ଟ୍ରକ୍‌(ଓଡି-୨୩-ପି-୩୪୦୬)ରେ ବୋଝେଇ ହୋଇ ସମ୍ବଲପୁର ଆସୁଥିବା କଫସିରପକୁ ଜବତ କରିଥିଲା। ଉକ୍ତ କଫସିରପ୍‌ ପଶ୍ଚିମବଙ୍ଗ ହୁଗୁଳି ଜିଲା ଡାନ୍‌କୁନୀରୁ ସମ୍ବଲପୁର ଆସୁଥିବା ଜଣାପଡ଼ିଛି। ସଦର ଥାନା ପୋଲିସ କଫ ସିରପ ସହ ଗୋଟିଏ ଟ୍ରକ୍‌, ଗୋଟିଏ ବୋଲେରୋ, ୨ଟି ଟେମ୍ପୁ, ଗୋଟିଏ ସ୍କୁଟି, ଗୋଟିଏ ବୁଲେଟ, ୧୨ଟି ମୋବାଇଲ ଫୋନ୍‌ ଓ ନଗଦ ୨୦ ହଜାର ଟଙ୍କା ଜବତ କରିଛି। ଜବତ କଫ ସିରପର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି।