ନୂଆପଡ଼ା,୮।୭ (ମକାରୁ ବେମାଲ): ୨୦୨୬ ମାର୍ଚ୍ଚ ୩୧ରେ ସାରା ଦେଶକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ମାଓବାଦୀ ଗତିବିଧି ଜଣାପଡି ନ ଥିଲା। ହେଲେ ନୂଆପଡ଼ା ଜିଲାର ସୀମାନ୍ତ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବହେବା ଘଟଣା ସାମ୍ନାକୁ ଆସିଛି। ନୂଆପଡ଼ା ପୋଲିସ, ସିଆର୍ପିଏଫ୍ ୧୯ ବାଟାଲିଅନ, ଡିଭିଏଫ୍ ଯବାନ ବୋଡେନ ଥାନା ପାଟଧରା ସଂରକ୍ଷିତ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରୁଥିବା ବେଳେ ଏକ ମାଓବାଦୀ କ୍ୟାମ୍ପ ଠାବ କରି ବିପୁଳ ପରିମାଣର ବିସ୍ଫୋରକ, ମାଓବାଦୀ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ମଙ୍ଗଳବାର ପୋଲିସ ଜିଲା ମୁଖ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଆହୁରି କହିଲେ, ନୂଆପଡ଼ା ଜିଲା ଓ ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ମାଓବାଦୀ ଗିତିବିଧି ଲାଗିରହିଥିଲା। ବର୍ତ୍ତମାନ ମାଓବାଦୀ ମୂଳୋପତ୍ାଟନ ହୋଇଛି। ୨୦୨୬ ମାର୍ଚ୍ଚ ୩୧ରେ ପୋଲିସ ଡିଜି ମଧ୍ୟ ଏ ନେଇ ଘୋଷଣା କରିସାରିଛନ୍ତି। ହେଲେ ପୂର୍ବରୁ କ୍ୟାମ୍ପ କରି ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ସର୍ଚ୍ଚ ଅପରେଶନ ସମୟରେ ଯବାନମାନେ ଠାବ କରିବାରେ ଲାଗିଛନ୍ତି। ସୋମବାର ସକାଳେ ବୋଡେନ ଥାନା ପାଟଧରା ସଂରକ୍ଷିତ ଜଙ୍ଗଲ ବରପାଟ ଡଙ୍ଗରରେ ଡିଭିଏଫ୍, ବିଡି ଟିମ୍ ଓ ସିଆର୍ପିଏଫ୍ ୧୯ ବାଟାଲିଅନ ମିଳିତ ଅପରେଶନ ଚଳାଇଥିଲେ। ଏହି ସମୟରେ ମାଟି ତଳେ ଲୁଚାଇ ରଖାଯାଇଥିବା ମାଓବାଦୀ ଡମ୍ପରୁ ବିପୁଳ ପରିମାଣର ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ସେଥି ମଧ୍ୟରେ ୨ଟି ଦେଶୀ ବନ୍ଧୁକ ଓ ମାଗାଜିନ ସହ ଗୋଟିଏ ଦେଶୀ କାର୍ବାଇନ, ଏକେ-୪୭ର ୨୯ ରାଉଣ୍ଡ ଏବଂ ଏସ୍ଏଲ୍ଆର୍ ୫୪ ରାଉଣ୍ଡ ଜୀବନ୍ତ ଗୁଳି, ୨ଟି ଟିଫିନ ବୋମା ଆଇଇଡି, ୮ଟି ଜିଲୋଟିନ ଷ୍ଟିକ,୧.୫ କିଲୋଗ୍ରାମ ଗନ ପାଉଡର ଓ ୟୁରିଆ, ଡେଟୋନେଟର, ସୋଲାର ପ୍ଲେଟ, ବ୍ୟାଟେରି ଚାର୍ଜର, ମାଓବାଦୀ ପୋଷାକ, ଔଷଧ ବାକ୍ସ, ବିଦ୍ୟୁତ୍ ତାର ଜବତ ହୋଇଛି। ନୂଆପଡ଼ାକୁ ମାଓବାଦୀ ମୁକ୍ତ ଜିଲା ଭାବରେ ଘୋଷଣା କରାଯାଇଥିଲେ ମଧ୍ୟ ସୁରକ୍ଷାବାହିନୀ ସୀମାନ୍ତ ଜଙ୍ଗଲ ଅଞ୍ଚଳରେ କୋମ୍ବିଂ ଓ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଏହା ଦ୍ୱାରା ମାଓବାଦୀଙ୍କ ଅବଶିଷ୍ଟ ନେଟ୍ୱର୍କକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଲକ୍ଷ୍ୟ ରହିଛି ବୋଲି ଆରକ୍ଷୀ ଅଧୀକ୍ଷକ ସିଂ କହିଛନ୍ତି। ଖବରଦାତା ସମ୍ମିଳନୀରେ ସିଆର୍ପିଏଫ୍ ୧୯ ବାଟାଲିଅନ କମାଣ୍ଡାଣ୍ଟ ଦୀପକ ମଣି ତ୍ରିପାଠୀ ଓ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।