ଅଘୋଷିତ ବିଦ୍ୟୁତ କାଟରେ ଅସହ୍ୟ ଲାଞ୍ଜିଗଡ ଗ୍ରାମବାସୀ: ଗ୍ରିଡ୍‌ରେ ତାଲା ପକାଇ ଧାରଣା, ଟାଟା ପାୱାର ଯନ୍ତ୍ରୀଙ୍କ ସହ ଆଲୋଚନା

ଲାଞ୍ଜିଗଡ, ୨୯।୫ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ବ୍ଲକ ଅଞ୍ଚଳବାସୀ ଶୁକ୍ରବାର ଲାଞ୍ଜିଗଡ ଟାଟା ପାୱାର ବିଦ୍ୟୁତ ଗ୍ରିଡ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ।

ସୂଚନାନୁସାରେ, ଲାଞ୍ଜିଗଡରେ ଗ୍ରୀଷ୍ମ ପ୍ରବାହ ତୀବ୍ର ରୂପ ଧାରଣ କରିଥିବାବେଳେ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ରହୁଛି। ଏହାସହ ଗରମ ଓ ଗୁଳୁଗୁଳି ବଢ଼ିବା ସହିତ ଲୋ ଭୋଲ୍ଟେଜ ସମସ୍ୟା ଓ ଅଘୋଷିତ ବିଦ୍ୟୁତ କାଟ ନେଇ ଲୋକମାନେ ଉତ୍ତେଜିତ ହୋଇଥିଲେ। ଏହାର ପ୍ରତିବାଦ ସ୍ୱରୂପ ଅଞ୍ଚଳବାସୀମାନେ ଗ୍ରିଡ୍‌ରେ ତାଲା ପକାଇ ଧାରଣା କରିଥିଲେ।

ଏହି ସମୟରେ ଟାଟା ପାୱାର ଯନ୍ତ୍ରୀ ଛବିଲାଲ ସାହୁ ଓ ସନ୍ଦୀପ ଠାକୁର ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି। ଆଇନ-ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ଥାନାଧିକାରୀ ଯଶୋବନ୍ତ ହିଆଲଙ୍କ ନେତୃତ୍ୱରେ ଏଏସଆଇ ମୋହନ ପରଜା ଓ ପୋଲିସ ବଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ।

ଏହି ଧାରଣାରେ ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ, ରାଜେନ୍ଦ୍ର ସିଂଦେଓ, ରାଜେନ୍ଦ୍ର ମାଳି, ଏମ୍‌. ଚନ୍ଦ୍ରଶେଖର, ପ୍ରଦୋଷ ପୁଷ୍ଟି, ସୁମନ୍ତ ଦଳବେହେରା, କିଶୋର ପେଶନିଆ, ବିନୋଦ ଗୌଡ଼, ଶ୍ରୀମୁଖ ଅଗସ୍ତି, ପରମାନନ୍ଦ ନାଏକ, କୁମାର ଗୌଡ଼ ସହିତ ଲାଞ୍ଜିଗଡ, ବସନ୍ତପଡା, ଜଗନ୍ନାଥପୁର ଓ ତ୍ରିଲୋଚନପୁର ଗ୍ରାମର ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share