ଖଦାନରେ ଭୂସ୍ଖଳନ, ୭୦ରୁ ଅଧିକ ନିଖୋଜ…

ନାପିଦ୍ୱ, ୨୨।୧୨: ମ୍ୟାନମାରର ଏକ ଖଦାନରେ ଭୟଙ୍କର ଦୁର୍ଘଟଣା ଘଟିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତର ମ୍ୟାନମାରର ଜେଡ୍‌ ଖଦାନରେ ବୁଧବାର ଭୂସ୍ଖଳନ ଘଟିଛି। ଫଳରେ ଏଠାରେ କାମ କରୁଥିବା ୭୦ରୁ ଅଧିକ ଜଣ ଲୋକ ନିଖୋଜ ଥିବା କୁହାଯାଉଛି। ଏଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ ଭୋର ପ୍ରାୟ ୪ ଟା ସମୟରେ ଭୂସ୍ଖଳନ ଘଟିଛି। ଲୋକମାନେ ମାଟି ତଳେ ରହିଯାଇଥିବା କୁହାଯାଉଛି।

ସୂଚନାନୁସାରେ, ୨୫ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାୟ ୨୦୦ କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ନିକଟସ୍ଥ ହ୍ରଦରେ ମଧ୍ୟ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଡଙ୍ଗାରେ ଖୋଜାଖୋଜି କରାଯାଉଛି।

କାଚିନ ନେଟୱାର୍କ ଡେଭଲପମେଣ୍ଟ ଫାଉଣ୍ଡେସନର ଜଣେ ଅଧିକାରୀ କହିଛନ୍ତି ଯେ କାଚିନ ରାଜ୍ୟର ହପାକାଣ୍ଟ ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଛି। ଆଶଙ୍କା କରାଯାଉଥିଲା ଯେ ପ୍ରାୟ ୮୦ ଜଣ ଲୋକ ହ୍ରଦରେ ଖଣି ଆବର୍ଜନା ସହିତ ପ୍ରବେଶ କରିଛନ୍ତି। ହାପାକାଣ୍ଟ ଅଞ୍ଚଳ ମ୍ୟାନ୍‌ମାରର ଜେଡ୍‌ ଇଣ୍ଡଷ୍ଟ୍ରିର କେନ୍ଦ୍ର।

Share