କଳିଙ୍ଗା ଘାଟିରେ ଭୂସ୍ଖଳନ: ଯାତାୟାତ ବନ୍ଦ, ଘଟଣାସ୍ଥଳରେ ପ୍ରଶାସନ

ଜି.ଉଦୟଗିରି, ୨୪।୯ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି। ୧୫୭ ନମ୍ବର ଜାତୀୟ ରାଜପଥର କଳିଙ୍ଗା ଘାଟିର ଅନ୍ଧାରୀକୋଟି ନିକଟରେ ମାଟି ଅତଡ଼ା ଖସିବା ସହ ପଥର ପିଚିଙ୍ଗ ୱାଲ ଧସିଯାଇଛି। ଫଳରେ ଘାଟି ରାସ୍ତା ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି।

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୁଧବାର ଓ ଗୁରୁବାର ଦୁଇ ଦିନ ପାଇଁ କଳିଙ୍ଗା ଘାଟି ଦେଇ ଯାଇଥିବା ଜାତୀୟ ରାଜପଥକୁ ବନ୍ଦ କରାଯାଇଥିଲା। ଏହା ମଧ୍ୟରେ ଅନ୍ଧାରୀକୋଟି ନିକଟରେ ଚାଲିଥିବା ପଥର ପିଚିଙ୍ଗ କାମର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ମାଟି ଅତଡ଼ା ଖସିବା ଯୋଗୁ ରାସ୍ତାରେ ମଧ୍ୟ ଫାଟ ସୃଷ୍ଟି ହୋଇଥିବା ଦେଖାଯାଇଛି। ଘଟଣାସ୍ଥଳରେ ଜି.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା ଏବଂ ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ଗତବର୍ଷ ମଧ୍ୟ କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟିଥିଲା। ଲଘୁଚାପଜନିତ ଲଗାଣ ବର୍ଷା ସମୟରେ ଏଠାରେ ପୁଣି ମାଟି ଅତଡ଼ା ଖସିବାର ଆଶଙ୍କା ରହିଥିଲା। ବର୍ତ୍ତମାନର ଘଟଣା ପରେ ଘାଟିର ସୁରକ୍ଷା ନେଇ ଚିନ୍ତା ବଢ଼ିଛି। କଳିଙ୍ଗା ଘାଟି ବର୍ତ୍ତମାନ ବିପଦପୂର୍ଣ୍ଣ ଥିବାରୁ ଯାତ୍ରୀବାହୀ ବସ ସମେତ ଅନ୍ୟ ଯାନବାହନ ଚଳାଚଳକୁ ବନ୍ଦ ରଖାଯାଇଛି। ଜି.ଉଦୟଗିରିରୁ ବ୍ରହ୍ମପୁର, ଭୁବନେଶ୍ୱର ଓ ଭଞ୍ଜନଗର ଯାଉଥିବା ବସ୍‌ଗୁଡ଼ିକର ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।

ପ୍ରବଳ ବର୍ଷା ଜାରି ଥିବାରୁ ପୋଲିସ ପକ୍ଷରୁ କଳିଙ୍ଗା ଘାଟିର ପ୍ରବେଶ ପଥ ନିକଟରେ ନାକାବନ୍ଦୀ କରାଯାଇଛି। ପ୍ରଶାସନ ପକ୍ଷରୁ ଘାଟି ଅଞ୍ଚଳକୁ ଯାତାୟାତ ନକରିବାକୁ ଲୋକଙ୍କୁ ସତର୍କ କରାଯାଇଛି। ବାଲିଗୁଡ଼ା, ରାଇକିଆ ଓ ସାରଙ୍ଗଡ଼ ପଟୁ କଳିଙ୍ଗା ଘାଟି ଦେଇ ଆସୁଥିବା ଯାନବାହନଗୁଡ଼ିକୁ ଟିକାବାଲି, ତେଙ୍ଗଡ଼ାପଥର ଦେଇ ଚକାପାଦ ରାସ୍ତାରେ ଯାତାୟାତ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଲଗାଣ ବର୍ଷା ଜାରି ରହିଥିବାରୁ କଳିଙ୍ଗା ଘାଟିରେ ଯାନବାହନ ଚଳାଚଳ କେବେ ସୱାଭାବିକ ହେବ, ତାହା ନେଇ ଏବେ ଅନିଶ୍ଚିତତା ଲାଗି ରହିଛି। ବିପଦକୁ ଦୃଷ୍ଟିରେ ରଖି ଘାଟି ଅଞ୍ଚଳକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି।

 

Dharitri – Odisha’s No.1 Odia Daily

 

Share