ଦାରିଙ୍ଗବାଡ଼ି, ୨୯।୧୦(ଅରୁଣ ସାହୁ):୨୦୧୯ ମସିହାରେ ବାତ୍ୟା ‘ଫନି’ ସମୟରେ ଗାଜଲବାଡ଼ି ଘାଟିରେ ଘଟିଥିବା ଭୂସ୍ଖଳନର ସ୍ମୃତି ପୁଣି ତାଜା ହୋଇଛି। ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଏହି ଘାଟିରେ ପୁଣି ଭୂସ୍ଖଳନ ଘଟିଛି। ଫନି ସମୟରେ ଯେଉଁ ସ୍ଥାନରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା, ସେହି ସ୍ଥାନରେ ହିଁ ଏଥର ତୁଳନାମୂଳକ ଭାବେ ଛୋଟ ଧରଣର ମାଟି ଅତଡ଼ା ଧସିଛି। ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଅବଲମ୍ବନ କରାଯାଇଥିବାରୁ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି।
ଗୋପାଳପୁରରାୟପୁରକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରେ ୨୦୧୯ରେ ବାତ୍ୟା ଫନି ସମୟରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଏହା ପରେ ମଧ୍ୟ ବିଭିନ୍ନ ବାତ୍ୟା ଓ ଲଘୁଚାପଜନିତ ବର୍ଷା ସମୟରେ ଘାଟି ରାସ୍ତା ପାର୍ଶ୍ୱରେ ଥିବା ପାହାଡ଼ରୁ ମାଟି ଅତଡ଼ା ଖସିବା, ବଡ଼ ବଡ଼ ପଥର ଖସିବା ଏବଂ ଗଛ ଉପୁଡ଼ିବା ଭଳି ଘଟଣା ଘଟିଆସୁଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ବାତ୍ୟା ପୂର୍ବରୁ ପ୍ରଶାସନ ସତର୍କ ପଦକ୍ଷେପ ନେଇଥିଲା।
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଆରମ୍ଭ ହେବା ପୂର୍ବରୁ ଗତ ସୋମବାର ଅପରାହ୍ନରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବାଇମାଳା ଚେକପୋଷ୍ଟ ଏବଂ ଗଞ୍ଜାମ ଜିଲାର ଗାଜଲବାଡ଼ିଠାରେ ଘାଟି ରାସ୍ତାକୁ ସିଲ କରାଯାଇଥିଲା। ପୋଲିସ ବାହିନୀ ମୁତୟନ କରାଯାଇ କୌଣସି ଗାଡ଼ିମୋଟରକୁ ଘାଟି ଦେଇ ଯିବାକୁ ଦିଆଯାଇ ନ ଥିଲା। ଘାଟିର ସ୍ଥିତି ଏବଂ ସେଠାରେ ଯାତାୟାତ କରୁଥିବା ଲୋକଙ୍କ ପ୍ରତି ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡ଼ି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନା ପୋଲିସ ଟିମ ସହ ଘାଟି ରାସ୍ତାର ସ୍ଥିତି ଯାଞ୍ଚ କରିବାକୁ ଯାଇଥିଲେ। ଏହି ଯାଞ୍ଚ ସମୟରେ ଘାଟିର ରାଶିକିଯୋଡ଼ି ବ୍ରିଜ ପରେ ଭୂସ୍ଖଳନ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଘାଟିରେ ଭୂସ୍ଖଳନ ଘଟିଥିବା ଘଟଣା ସାମ୍ନାକୁ ଆସିଥିଲା।
ଗାଜଲବାଡ଼ି ଘାଟିରେ ଭୂସ୍ଖଳନର ପୁନରାବୃତ୍ତି ପାହାଡ଼ିଆ ରାସ୍ତାରେ ବର୍ଷା ସମୟରେ ରହୁଥିବା ବିପଦକୁ ପୁଣି ଥରେ ସାମ୍ନାକୁ ଆଣିଛି। ତେବେ ବାତ୍ୟା ପୂର୍ବରୁ ଘାଟିକୁ ସିଲ କରି ଯାତାୟାତ ବନ୍ଦ କରାଯାଇଥିବାରୁ ଯାତ୍ରୀ ଓ ଗାଡ଼ିଚାଳକମାନେ ସମ୍ଭାବ୍ୟ ବିପଦରୁ ସୁରକ୍ଷିତ ରହିଥିବା କୁହାଯାଉଛି।