କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କୋରୁକୋଣ୍ଡା ବ୍ଲକ୍ ଚିତାପାରି-୩ ପଞ୍ଚାୟତ ଅଧୀନ ଏମ୍ଭି-୧୦୮ ଗ୍ରାମର ତପନ ଗାଏନ(୩୭)। ପୋଲିସ ତପନଙ୍କୁ ଶୁକ୍ରବାର ତାଙ୍କ ଗ୍ରାମରୁ ଗିରଫ କରି ଥାନାକୁ ଆଣିବା ପରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ମୁତାବକ, ତପନ ଗତ ୭ବର୍ଷ ତଳେ ନିଜର ଏକ ଜମିକୁ ବିକ୍ରି ପାଇଁ ବାଲିମେଳା ସହରରେ ରହୁଥିବା ଗଣେଶ ବରାଇ ନାମକ ବ୍ୟକ୍ତିଙ୍କଠାରୁ ପର୍ଯ୍ୟାୟ କ୍ରମେ ପ୍ରାୟ ୧୦ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଗଣେଶ ଆଜକୁ ପ୍ରାୟ ୧୦ ବର୍ଷ ହେବ ତପନଙ୍କୁ ନିଜ ନାମରେ ଜମି ପଟ୍ଟା କରିବା ପାଇଁ ବହୁବାର କହିବା ପରେ ବି ସେ ତାଙ୍କ ନାମରେ ଜମି ପଟ୍ଟା କରି ନ ଥିଲେ। ତେବେ ତପନ ଉକ୍ତ ଜମିକୁ ନିଜ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଲୁଚାଇ ଅଧିକ ଟଙ୍କାରେ ବିକ୍ରି କରୁଥିବା ଗଣେଶ କୌଣସି ସୂତ୍ରରୁ ଜାଣିବା ପରେ ସେ ଗତ ମେ ୨୭ ତାରିଖରେ ଓର୍କେଲ ଥାନାରେ ଦ୍ୱାରସ୍ଥ ହୋଇ ତପନଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଏତଲାକୁ ଭିତ୍ତିକରି ପୋଲିସ ପକ୍ଷରୁ ଥାନାରେ କେସ୍ ନମ୍ବର-୧୬୨/୨୬ ଏକ ମାମଲା ରୁଜୁ କରିବା ସହ ଏସ୍ଆଇ ଅଜିତ ସିଂ ବରିହା ଘଟଣାର ତଦନ୍ତ ଚଳାଇଥିଲେ।