ମାଓବାଦୀଙ୍କ ବ୍ୟାଗ୍‌ରୁ ମିଳିଲା ଲ୍ୟାଣ୍ଡମାଇନ, ଟିଫିନ ବୋମା

ଚିତ୍ରକୋଣ୍ଡା,୨୪ା୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ହାନ୍ତାଳଗୁଡ଼ା ୯ ବାଟାଲିୟନ ବିଏସ୍‌ଏଫ୍‌ ଯବାନମାନେ ପୁଣିଥରେ ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଛନ୍ତି। ଯବାନଙ୍କ ଉଦ୍ଦେଶ୍ୟରେ ସେମାନେ ଜଙ୍ଗଲ ରାସ୍ତାରେ ଖଞ୍ଜିଥିବା ଲ୍ୟାଣ୍ଡମାଇନ ଓ ଟିଫିନ ବୋମାକୁ ଠାବ କରାଯାଇଛି। ଏଥିସହ ମାଓବାଦୀଙ୍କ ଅନ୍ୟାନ୍ୟ ବ୍ୟବହୃତ ସାମଗ୍ରୀ ସେଠାରୁ ମିଳିଛି। ଗୋଇନ୍ଦା ସୂତ୍ରରୁ ଖବର ପାଇ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିବା ବେଳେ କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ମାଓବାଦୀଙ୍କ ଏକ ବ୍ୟାଗ୍‌ ପଡିଥିବା ଦେଖିବାକୁ ପାଇଥିଲେ। ସେହି ବ୍ୟାଗ୍‌କୁ ସର୍ଚ୍ଚ କରିବାରୁ ସେଥିରୁ ୨ଟି ପ୍ରେସର ବୋମା, ଗୋଟିଏ ଟିଫିନ ବୋମା, ମେଡ଼ିସିନ, ବେଲ୍ଟ,ଡ୍ରେସ୍‌ ସାବୁନ ଆଦି ମିଳିଥିଲା। ଖବରପାଇ ତୁରନ୍ତ ସେଠାରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ପହଞ୍ଚତ୍ ବୋମାକୁ ନିଷ୍କ୍ରିୟ କରିଥିଲେ। ସୂଚନାଯୋଗ୍ୟ, କିଛିଦିନ ଧରି ସ୍ବାଭିମାନ ଅଞ୍ଚଳରେ ବିଏସ୍‌ଏଫ୍‌ ଯବାନ ବାରମ୍ବାର ମାଓବାଦୀ ସାମଗ୍ରୀ ଜବତ କରି ଆସୁଛନ୍ତି। ତଥାପି ମାଓବାଦୀନେ ସେମାନଙ୍କ ଉଦ୍ୟମ ଜାରି ରଖିଛନ୍ତି।