ପାଣି ଥାଇ ଜମି ପଡ଼ିଆ

ରାସୋଳ,୧୪।୮(ସରୋଜ ମିଶ୍ର): ଲଘୁଚାପଜନିତ ଲଗାଣ ବର୍ଷା ପରେ ଭର୍ତ୍ତି ହୋଇଛି ଡ୍ୟାମ୍‌। ମୋଟ ଜଳଧାରଣ କ୍ଷମତାର ୭୮% ପାଣି ମହଜୁଦ ଅଛି। ହେଲେ ଠିକ୍‌ ସମୟରେ ଗେଟ୍‌ ଖୋଲାଗଲାନାହିଁ କି ପାଣି ଛଡ଼ାଗଲାନାହିଁ। ଫଳରେ ଯେଉଁ ସମୟରେ ରୁଆ ବେଉଷଣ ଶେଷ ହେବା କଥା, ସେହି ସମୟରେ ତଳି ଉପାଡ଼ିବା ପାଇଁ ଜମିରେ ଜଳ ନାହିଁ। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଦଣ୍ଡିରିସ୍ଥିତି ସାପୁଆ କ୍ଷୁଦ୍ର ସେଚ ପ୍ରକଳ୍ପରେ ଜଳ ପରିଚାଳନାରେ ଏଭଳି ବିଭ୍ରାଟ ଯୋଗୁ ଚଳିତବର୍ଷ କେନାଲ ତଟବର୍ତ୍ତୀ ଜମି ପଡ଼ିଆ ପଡ଼ିଥିବାବେଳେ ଖରିଫ୍‌ ଚାଷ ଉଜୁଡ଼ିଯିବା ଆଶଙ୍କା ଦେଖାଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି।
ହିନ୍ଦୋଳ ବ୍ଲକର ରାସୋଳ, ଦଣ୍ଡିରି, କୁନୁଆ, ବୁହାଳିପାଳ, କଳିଙ୍ଗା, ନୂଆବଗ ପଞ୍ଚାୟତର ଚାଷୀଙ୍କ ଜଳସେଚନର ପ୍ରମୁଖ ମାଧ୍ୟମ ସାପୁଆ କ୍ଷୁଦ୍ର ସେଚ ପ୍ରକଳ୍ପ। ୮୫୦ ହେକ୍ଟରରେ ପରିବ୍ୟାପ୍ତ ଏହି ଡ୍ୟାମ୍‌ ମାଧ୍ୟମରେ ପ୍ରାୟ ୨୪୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଛି। ବିଶେଷ କରି ଖରିଫ୍‌ ଚାଷ ସମୟରେ ଚାଷୀ ଡ୍ୟାମ୍‌ ପାଣି ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଆନ୍ତି। ଚଳିତବର୍ଷ ମୌସୁମୀର ଲୁଚକାଳି ଯୋଗୁ ରାସୋଳ ଅଞ୍ଚଳରେ ଆବଶ୍ୟକ ପରିମାଣର ବର୍ଷା ହୋଇ ନ ଥିବାରୁ ଆଗୁଆ ପାଣି ଛାଡ଼ିବା କଥା। ହେଲେ ଡ୍ୟାମ୍‌ କର୍ତ୍ତୃପକ୍ଷ ପ୍ରାୟ ସପ୍ତାହେ ପରେ ଗତ ୩ଦିନ ତଳେ ପାଣି ଛାଡ଼ିଛନ୍ତି। ତଥାପି ରବିବାର ସୁଦ୍ଧା ତଳମୁଣ୍ଡରେ ପାଣି ପହଞ୍ଚତ୍ପାରିନାହିଁଁ। ତେଣୁ ରୁଆ ବେଉଷଣ ଆଗେଇ ପାରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ନାଉକିଆରୀର କାଳିଆ ପ୍ରଧାନ, ଦଣ୍ଡଧର ବିଶ୍ୱାଳ, କୁନୁଆର କିର୍ଲୋସ୍କର ରାଉତ, କୃଷ୍ଣ ସାମଲ, ବାଙ୍କଟିଆର ନରେଶ ଚନ୍ଦ୍ର ପାଳ, ରଘୁନାଥ ପାଳ ପ୍ରମୁଖ ଅଭିଯୋଗ କରିଛନ୍ତି, ୨୦ଦିନ ହେଲା ବର୍ଷା ନାହିଁ। ପାଣି ଅଭାବରୁ ଚାଷ କାର୍ଯ୍ୟ ବନ୍ଦ ହୋଇଯାଇଛି। ଅଧାରୁ ଅଧିକ ଜମି ପଡ଼ିଆ ପଡ଼ିଛି। ବିଭାଗୀୟ ଅଧିକାରୀ ଓ ଜଳ ପରିଚାଳନା ଦାୟିତ୍ୱରେ ଥିବା ପାଣି ପଞ୍ଚାୟତର ଅବହେଳା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଯଦି ଡ୍ୟାମରେ ପାଣି ଥାଇ ଚାଷୀ ପାଇବେ ନାହିଁ, ତେବେ ଜଳସେଚନ ପ୍ରକଳ୍ପ କାହାସ୍ବାର୍ଥରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏ ନେଇ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିବେ ବୋଲି ସମ୍ପୃକ୍ତ ଚାଷୀମାନେ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ସାପୁଆ ପାଣି ପଞ୍ଚାୟତ ଅଧ୍ୟକ୍ଷ ପ୍ରେମାନନ୍ଦ ପଟ୍ଟନାୟକ କୁହନ୍ତି, ପାଣି ଛଡ଼ାଯାଇଛି। ଏତେ ବ୍ୟସ୍ତ କାହିଁକି। ପାଣି ପହଞ୍ଚତ୍ବ ବୋଲି କହି ସେ ପ୍ରସଙ୍ଗ ଏଡ଼ାଇ ଯାଇଥିଲେ। ସାପୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ଦିବାକର ବେହେରା କୁହନ୍ତି, ୩ଦିନ ହେଲା ପାଣି ଛଡ଼ାଗଲାଣି।