Categories: ଜାତୀୟ

ଦଣ୍ଡାଦେଶ ଆସିବା ଯାଏ ହଟଓ୍ବାର ଜେଲ୍‌ରେ ରହିବେ ଲାଲୁ

ରାଞ୍ଚି,୧୫।୨: ଗୋଖାଦ୍ୟ ଦୁର୍ନୀତି ମାମଲା ସହ ଜଡିତ ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୩୫କୋଟି ଟଙ୍କା ବେଆଇନ ଭାବେ ପ୍ରତ୍ୟାହାର କରାଯିବା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମଙ୍ଗଳବାର ରାଞ୍ଚି ସ୍ଥିତ ସିବିଆଇର ସ୍ବତନ୍ତ୍ର କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ତାଙ୍କ ଦଣ୍ଡାଦେଶ ନ ଆସିବା ପର୍ଯ୍ୟନ୍ତ କୋର୍ଟ ଲାଲୁଙ୍କୁ ହଟୱାର ଜେଲ୍‌କୁ ପଠାଇ ଦେଇଛନ୍ତି। ଫେବୃଆରୀ ୨୧ରେ ଲାଲୁଙ୍କ ଦଣ୍ଡବିଧାନ ଶୁଣାଣି ହେବାର ଅଛି। ରାଞ୍ଚି ସ୍ଥିତ ସିବିଆଇର ଏକ ସ୍ବତନ୍ତ୍ର କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ତୁରନ୍ତ ଲାଲୁ ଯାଦବଙ୍କୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ, ଦୋଷୀ ସାବ୍ୟସ୍ତ ହେବା ପରେ ଲାଲୁଙ୍କୁ ରିମ୍ସ ହସ୍ପିଟାଲ ପଠାଇବା ପରିବର୍ତ୍ତେ ସିଧାସଳଖ କୋର୍ଟ ତାଙ୍କୁ ରାଞ୍ଚି ସ୍ଥିତ ହଟଓ୍ବାର ଜେଲ୍‌କୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହଟୱାର ଜେଲ୍‌ରେ ଡାକ୍ତରଙ୍କ ଏକ ଟିମ୍‌ ଲାଲୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି। ତେବେ ଡାକ୍ତରଙ୍କ ରିପୋର୍ଟ ପରେ ତାଙ୍କୁ ରିମ୍ସକୁ ପଠାଯାଇପାରିବ ବୋଲି କୁହାଯାଉଛି। ବୋଧ ହୁଏ ଆଜି ରାତି ଲାଲୁଙ୍କୁ ହଟୱାର ଜେଲ୍‌ରେ ହିଁ ବିତାଇବାକୁ ପଡିବ। ଅପରପକ୍ଷେ ଲାଲୁଙ୍କ ବୟସ ଏବଂ ଅସୁସ୍ଥତା ସମ୍ପର୍କରେ ତାଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ। ଲାଲୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନୁହେଁ ତେଣୁ ତାଙ୍କୁ ରିମ୍ସକୁ ସ୍ଥାନାନ୍ତର କରିବାକୁ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବା ଉଚିତ୍‌ ବୋଲି ଆଡଭୋକେଟ ପ୍ରଭାତ କୁମାନ କୋର୍ଟରେ ଏକ ଆବେଦନ କରିଥିଲେ।

 

Share