Categories: ଜାତୀୟ

ସୁଧୁରୁଛି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୭।୭: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ବର୍ତ୍ତମାନ ଭଲ ଅଛି। ହେଲେ ଏବେ ବି ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଅନ୍ୟପଟେ ଲାଲୁ ଯାଦବ ଲୋକଙ୍କୁ ଭେଟୁଛନ୍ତି ଓ ସେମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି ବୋଲି ତାଙ୍କ ପରିବାର ସଦସ୍ୟ କହିଛନ୍ତି। ଇତିମଧ୍ୟରେ ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିବା ପାଇଁ ଗୁରୁବାର କେନ୍ଦ୍ରମନ୍ତ୍ରୀ ପଶୁପତି ପରାସ ହସ୍ପିଟାଲକୁ ଯାଇ ତାଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ଲାଲୁଙ୍କୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରିଥିଲେ ଏବଂ କିଛି ସମୟ ଧରି କଥାବର୍ତ୍ତା କରିଥିଲେ। ସୂଚନାଯୋଗ୍ୟ, ୭୪ ବର୍ଷୀୟ ଲାଲୁ ଯାଦବ ରବିବାର ପାଟନାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ପରେ ଲାଲୁଙ୍କୁ ଘରେ ପଡ଼ିଯିବା ପରେ ତାଙ୍କ ଡାହାଣା କାନ୍ଧ ଫ୍ରେକ୍‌ଚର ହୋଇଯାଇଛି। ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ପାଟନା ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଦିନ ତାଙ୍କୁ ଡିସଚାର୍ଜ କରାଯାଇଥିଲା, କିନ୍ତୁ ସୋମବାର ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ରାତିରେ ଲାଲୁ ପ୍ରସାଦ ଯାଦବଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଅଣାଯାଇଥିଲା। ବର୍ତ୍ତମାନ ସେ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସହ କଥା ହୋଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି।

Share