ଲାଲ୍‌କିଲ୍ଲା

ନୂଆଦିଲ୍ଲୀର ମଧ୍ୟଭାଗରେ ରହିଛି ପ୍ରସିଦ୍ଧ ଐତିହାସିକ ସ୍ଥାପତ୍ୟ ଲାଲ୍‌କିଲ୍ଲା, ଯାହାକି ମୋଗଲ ସମ୍ରାଟ୍‌ ଶାହାଜାହାନଙ୍କ ଶାସନ କାଳରେ ନିର୍ମିତ ହୋଇଥିଲା । ବର୍ତ୍ତମାନ ଏହା ଭାରତର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ଲାଭ କରିଛି। ତେବେ ଜାଣିବା ଏହା ସମ୍ପର୍କରେ କେତେକ ରୋଚକ ତଥ୍ୟ…
ଲାଲ୍‌କିଲ୍ଲାର ନାମ ଏପରି ରଖାଯିବାର କାରଣ ଏହାର ରଙ୍ଗ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବାସ୍ତବରେ ଏହା ଧଳାରଙ୍ଗର ପଥର ବା ଚୂନ ପଥରରେ ନିର୍ମାଣ କରାଯାଇଥିଲା। କେବଳ ଏହାର ଚତୁଃପାର୍ଶ୍ୱରେ ଥିବା ସୁଉଚ୍ଚ ପାଚେରୀ ଲାଲ୍‌ ପଥର ଏବଂ ଇଟାରେ ନିର୍ମାଣ କରାଯାଇଥିବାରୁ ବ୍ରିଟିଶରମାନେ ଏହାକୁ ରେଡ୍‌ ଫୋର୍ଟ ବୋଲି ନାମକରଣ କରିଥିଲେ। ପ୍ରଥମେ ଏହାକୁ କିଲ୍ଲା-ଏ-ମୁବାରକ୍‌ କୁହାଯାଉଥିଲା। କ୍ରମଶଃ ସେଠାକାର ବାସିନ୍ଦା ଏହାକୁ ଲାଲ୍‌କିଲ୍ଲା କହିଲେ, ଯାହାକି ତାହାର ପରିଚୟ ପାଲଟିଗଲା।
ଶାହାଜାହାନ ନିଜ ସାମ୍ରାଜ୍ୟର ରାଜଧାନୀ ଆଗ୍ରାଠାରୁ ଦିଲୀକୁ ସ୍ଥାନାନ୍ତରିତ କରିବା ଲାଗି ଲାଲ୍‌କିଲ୍ଲା ନିର୍ମାଣ କରାଇଥିଲେ। ତେବେ ଏହା ସମ୍ପୂର୍ଣ୍ଣ ହେବା ଲାଗି ପାଖାପାଖି ୧୦ ବର୍ଷ ସମୟ ଲାଗିଥିଲା। ଏହାକୁ ଉସ୍ତାଦ ହମିଦ୍‌ ଏବଂ ଉସ୍ତାଦ ଅହମଦ୍‌ ଡିଜାଇନ୍‌ କରିଥିଲେ।
ଏହାର ମୁଖ୍ୟଦ୍ୱାରକୁ ଲାହୋର ଗେଟ୍‌ ମଧ୍ୟ କୁହାଯାଏ।
ଏହା ମଧ୍ୟରେ ଥିବା ଖାସ୍‌ ମହଲରେ ସମ୍ରାଟ୍‌ଙ୍କ ରାଣୀମାନେ ଏବଂ ସେମାନଙ୍କ ଦାସୀ ରୁହନ୍ତି। ଉକ୍ତ ସ୍ଥାନକୁ କେବଳ ସମ୍ରାଟ୍‌ ଯାଇ ପାରୁଥିବା ବେଳେ ଅନ୍ୟମାନଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ନିଷିଦ୍ଧ।
ଦେଶର ପ୍ରଥମ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲାଲ୍‌କିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ସେହିଠାରେ ହିଁ ପତାକା ଉତ୍ତୋଳନ ହୋଇ ଆସୁଅଛି।
ପ୍ରାୟ ୨୦୦ ବର୍ଷ ପର୍ଯ୍ୟନ୍ତ ମୋଗଲ ଶାସକମାନେ ଏଠାରେ ରହିବା ପରେ ୧୮୫୭ କ୍ରାନ୍ତି ପରେ ବ୍ରିଟିଶ୍‌ମାନେ ଏହାକୁ ଅଧିକାର କରିବା ସହ ଏହାକୁ ଅନେକ କ୍ଷତି ମଧ୍ୟ ପହଞ୍ଚାଇଥିଲେ।
କୋହିନୂର ହୀରା ପ୍ରଥମେ ଲାଲ୍‌କିଲ୍ଲାର ଦିଓ୍ବାନେ ଖାସ୍‌ରେ ଥିବା ଶାହାଜାହାନଙ୍କ ସିଂହାସନରେ ସଜ୍ଜିତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନାଦିର ଶାହାଙ୍କ ଦ୍ୱାରା ଚୋରି ହୋଇଯାଇଥିଲା।
୨୦୦୭ ମସିହାରେ ୟୁନେସ୍କୋ ଦ୍ୱାରା ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ରେ ଏହା ସ୍ଥାନ ପାଇଛି।