ନୂଆଦିଲ୍ଲୀ,୩।୧୧: ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଫ୍ରାଞ୍ଚାଇଜ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ଆୟୋଜନକୁ ନେଇ ବଡ଼ ପ୍ରସ୍ତାବ ଦେଇଛନ୍ତି ଲିଗ୍ର ପ୍ରତିଷ୍ଠାତା ଲଲିତ ମୋଦି। ଆଇପିଏଲ୍ର ବର୍ତ୍ତମାନର ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ଥିବା ଆୟୋଜନ ସମୟକୁ ପରିବର୍ତ୍ତନ କରି ଅକ୍ଟୋବରରୁ ଏପ୍ରିଲ ମଧ୍ୟରେ ଟୁର୍ନାମେଣ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ଆଇପିଏଲ୍ରେ ମ୍ୟାଚ ସଂଖ୍ୟା ବଢ଼ାଇ ୯୪ କରିବାକୁ ମଧ୍ୟ ପ୍ରସ୍ତାବ ରଖିଛନ୍ତି। ଲଲିତ ମୋଦି ଆଇସିସି ଅଧ୍ୟକ୍ଷ ଜୟ ଶାହାଙ୍କୁ ମଧ୍ୟ ନୂଆ କ୍ରିକେଟ କ୍ୟାଲେଣ୍ଡର ପ୍ରସ୍ତୁତିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ତାଙ୍କ ମତରେ, ଆଇପିଏଲ୍ର ଲୋକପ୍ରିୟତା ଓ ବ୍ୟାପକତାକୁ ଦୃଷ୍ଟିରେ ରଖି ଏହାର ଆୟୋଜନ ସମୟ ଏବଂ ମ୍ୟାଚ ସଂଖ୍ୟାରେ ପରିବର୍ତ୍ତନ ଜରୁରୀ।
ଲଲିତ ମୋଦି କହିଛନ୍ତି, ୨୦୦୮ରେ ଯେତେବେଳେ ଆଇପିଏଲ ଆରମ୍ଭ ହୋଇଥିଲା, ସେତେବେଳେ ଏପ୍ରିଲ ଓ ମେ’ ହିଁ ଏକମାତ୍ର ଉପଲବ୍ଧ ସମୟ ଥିଲା। କିନ୍ତୁ ଏବେ ପରିସ୍ଥିତି ବଦଳିଛି। ଆଇପିଏଲ୍ର ସ୍ବରୂପ ଓ ଲୋକପ୍ରିୟତାରେ ବ୍ୟାପକ ପରିବର୍ତ୍ତନ ଆସିଛି। ଆରମ୍ଭ ସମୟରେ ଏହି ଟୁର୍ନାମେଣ୍ଟକୁ ନେଇ ଅନେକ ବିରୋଧ ହୋଇଥିଲା। ତଥାପି ସେ ଏପରି ଏକ ସମୟ ବାଛିଥିଲେ, ଯାହାକୁ ଅନ୍ୟ କେହି ଚାହୁଁ ନ ଥିଲେ। ଆଜି ଆଇପିଏଲ ଯେଉଁ ସଫଳତା ହାସଲ କରିଛି, ତାହା ସହଜରେ ମିଳିନାହିଁ ବୋଲି ସେ କହିଛନ୍ତି।
ଆଇପିଏଲ୍ଣ ମ୍ୟାଚ ସଂଖ୍ୟା ବୃଦ୍ଧି ନେଇ ମଧ୍ୟ ଯୁକ୍ତି ରଖିଛନ୍ତି ଲଲିତ ମୋଦି। ତାଙ୍କ କହିବା ଅନୁଯାୟୀ, ଆଇପିଏଲ ଆରମ୍ଭ ସମୟରେ ୮ଟି ଦଳ ଓ ୫୯ଟି ମ୍ୟାଚକୁ ନେଇ ଟୁର୍ନାମେଣ୍ଟ ଆୟୋଜନ ହେଉଥିଲା। ପରବର୍ତ୍ତୀ ସମୟରେ ବିସିସିଆଇ ଦଳ ସଂଖ୍ୟାକୁ ୧୦କୁ ବୃଦ୍ଧି କରିଥିଲା। ବର୍ତ୍ତମାନ ୧୦ଟି ଦଳକୁ ନେଇ ହୋମ ଆଣ୍ଡ ଆୱେ ଫର୍ମାଟ୍ରେ ଖେଳାଗଲେ ୯୦ଟି ଲିଗ ମ୍ୟାଚ ସହ ୪ଟି ପ୍ଲେଅଫ ମ୍ୟାଚ ହେବ। ଅର୍ଥାତ୍ ମୋଟ ୯୪ଟି ମ୍ୟାଚ ଆୟୋଜନ ହୋଇପାରିବ। ଏହା ପ୍ରାରମ୍ଭିକ ଫର୍ମାଟ ତୁଳନାରେ ପ୍ରାୟ ୬୦ ପ୍ରତିଶତ ଅଧିକ ବୋଲି ସେ ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ, ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୂମଲ ମଧ୍ୟ ଚଳିତ ବର୍ଷ ଅଧିକ ମ୍ୟାଚ ଆୟୋଜନ ପାଇଁ ଟୁର୍ନାମେଣ୍ଟକୁ ଦୁଇଟି ୱିଣ୍ଡୋରେ ବିଭକ୍ତ କରିବାର ପ୍ରସ୍ତାବ ଦେଇଥିଲେ। ତେବେ ଲଲିତ ମୋଦିଙ୍କ ପ୍ରସ୍ତାବ ଯଦି କାର୍ଯ୍ୟକାରୀ ହୁଏ, ତେବେ ଭାରତୀୟ କ୍ରିକେଟ୍ର ସମ୍ପୂର୍ଣ୍ଣ କ୍ୟାଲେଣ୍ଡରରେ ବଡ଼ ପରିବର୍ତ୍ତନ ହୋଇପାରେ। ଏହାର ପ୍ରଭାବ ଟେଷ୍ଟ କ୍ରିକେଟ ସହ ଘରୋଇ କ୍ରିକେଟ ପ୍ରତିଯୋଗିତା ଉପରେ ମଧ୍ୟ ପଡ଼ିବ। ତେଣୁ ଆଇପିଏଲ୍ର ନୂଆ ସମୟସୂଚୀ ନେଇ ବିସିସିଆଇ ଓ ଆଇସିସି କିଭଳି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ କ୍ରିକେଟପ୍ରେମୀଙ୍କ ନଜର ରହିଛି।