ଢେଙ୍କାନାଳରେ ଲକ୍ଷ୍ମୀ ପୂଜା: ଉଠିଲା ମାଟି

ଢେଙ୍କାନାଳ ଅଫିସ, ୭।୯: ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ଉପଲକ୍ଷେ ବୁଧବାର ସୁନିଆ ପର୍ବରେ ପୂଜା ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ମା’ ଲକ୍ଷ୍ମୀଙ୍କର ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ପାଇଁ ବ୍ରାହ୍ମଣୀ ନଦୀରୁ ପୂଜାର୍ଚ୍ଚନା କରି ମାଟି ଅନୁକୂଳ କରାଯାଇଛି । ପରେ ଅନୁକୂଳ ମାଟିକୁ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ବିରାଟ ଶୋଭାଯାତ୍ରାରେ ପୂଜାମଣ୍ଡପକୁ ନେଇଥିଲେ। ଢେଙ୍କାନାଳ ସହର ୩୮ଟି ଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମଧ୍ୟରୁ ୩୬ ପ୍ରତିଷ୍ଠାନ ମାଟି ଆଣିଥିଲେ। ଆଉ ୨ଟି ପୂଜା ପ୍ରତିଷ୍ଠାନ ରାଧା ଅଷ୍ଟମୀରେ ମାଟି ଅନୁକୂଳ କରିସାରିଛନ୍ତି । ଚଳିତ ବର୍ଷ ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନ ନିଜର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ସକାଳେ ବ୍ରାହ୍ମଣୀ ନଦୀରୁ ପୂଜାର୍ଚ୍ଚନା କରି ମାଟି ଅନୁକୂଳ କରି ଶୋଭାଯାତ୍ରାରେ ସହରସ୍ଥିତ ଶ୍ରୀବଳରାମ ମନ୍ଦିରଠାରେ ପହଞ୍ଚିଥିଲେ । ସେଠାରୁ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଘୋଡ଼ାନାଚ, ଦଣ୍ଡ ନୃତ୍ୟ, ଲଉଡି ଖେଳ, ପାଇକ ନୃତ୍ୟ, ମହିଳା ସଂକୀର୍ତ୍ତନ, ଘଣ୍ଟା, ଶଙ୍ଖ ନାଦରେ ଅନୁକୂଳ ମାଟିକୁ ଏକ ବିଶାଳ ଶୋଭାଯାତ୍ରାରେ ନେଇ ସହର ପରିକ୍ରମା କରି ବାଜିଚୌକ ଦେଇ ଲକ୍ଷ୍ମୀବଜାର ପୂଜା ମଣ୍ଡପକୁ ଫେରିଥିଲେ । ଏହି ଶୋଭାଯାତ୍ରା ଦେଖିବାକୁ ବହୁ ଜନସମାଗମ ହୋଇଥିଲା