ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା: କୋଠା ମାଲିକଙ୍କୁ ନୋଟିସ୍‌ ଜାରି

ପୁରୀ ଅଫିସ ୧୭ା୩: ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାକୁ ପ୍ରଶାସନ ଗୁରୁତ୍ୱର ସହ ନେଇଛି। ବେଆଇନ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିରେ କମ୍ପ୍ଲେକ୍ସ ତିଆରି ହେବା ଜଣାପଡ଼ିବା ପରେ ମାଲିକଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଅପରପକ୍ଷରେ ଏହି ଅଗ୍ନିକାଣ୍ଡ ଘଟଣାକୁ ୮ଦିନ ବିତିଯାଇଥିଲେ ହେଁ ଏପର୍ଯ୍ୟନ୍ତ ମାଲିକଙ୍କ ଦେଖାନାହିଁ। ନୋଟିସ ସମ୍ପର୍କରେ ପୁରୀ ତହସିଲଦାର କ୍ଷୀରୋଦ କୁମାର ବେହେରା କହିଛନ୍ତି, ବେଆଇନ ଭାବେ ଜମି ହାତେଇବା ଘଟଣାରେ କମ୍ପ୍ଲେକ୍ସ ମାଲିକଙ୍କ ବିରୋଧରେ ନୋଟିସ୍‌ ଜାରି କରାଯାଇଛି। ୧୫ ତାରିଖରେ ତାଙ୍କ ବିରୋଧରେ ଏନକ୍ରୋଚ୍‌ମେଣ୍ଟ କେସ ରୁଜୁ କରାଯାଇଛି। ସେହିପରି ବିଲ୍‌ଡିଂର ମାଲିକ ଅଚ୍ୟୁତାନନ୍ଦ ମହାନ୍ତିଙ୍କ ତିନିପୁଅଙ୍କୁ ନୋଟିସ୍‌ ଜାରି କରାଯାଇଛି। ତାଙ୍କୁ ୭ଦିନ ସମୟ ଦିଆଯାଇଛି। ଆସନ୍ତା ୨୩ ତାରିଖରେ ସେ ହାଜର ହୋଇ ତାଙ୍କ ପକ୍ଷ ରଖିବେ। ଯଦି ତାଙ୍କ ନିକଟରେ କିଛି କାଗଜପତ୍ର ଥାଏ କିମ୍ବା କିଛି ପ୍ରମାଣପତ୍ର ଥାଏ ତାହାକୁ ସେ ଦାଖଲ କରିବେ। ଯଦି ସେ ହାଜର ନ ହୁଅନ୍ତି ତେବେ ତାଙ୍କୁ ଆଉ ଗୋଟେ ସର୍ଟ ନୋଟିସ ଜାରି କରାଯିବ। ସେହିପରି ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଅଗ୍ନିକାଣ୍ଡ ଅଚାନକ ଭାବେ ଘଟିଥିଲା। ଅଗ୍ନିଶମ କର୍ମଚାରୀ ଓ ଅନ୍ୟମାନେ ମିଶି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ତେବେ ଅଗ୍ନିକାଣ୍ଡ ଘଟଣାରେ ଯେଉଁମାନଙ୍କ ଅବହେଳା ରହିଛି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଆସିଛି। ଆଇନ ଅନୁଯାୟୀ କାର୍ଯ୍ୟ କରାଯିବ। ତଦନ୍ତ ସମୟରେ ଯେଉଁମାନଙ୍କର ଦୋଷ ଜଣାପଡ଼ିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଗତ ୮ତାରିଖ ରାତିରେ ଶର୍ଟସର୍କିଟ୍‌ ଯୋଗୁ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ ଲାଗିଥିଲା। ପରେ ନିଆଁ ବ୍ୟାପିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ୩୬ ଘଣ୍ଟା ଲାଗିଥିଲା। ପରେ କମ୍ପ୍ଲେକ୍ସ ପଛପଟେ ଏକ ମନ୍ଦିର ଥିବା ଜଣାପଡିଥିଲା। ତଦନ୍ତରୁ ଜଣାପଡିଥିଲା ଯେ, କମ୍ପ୍ଲେକ୍ସ ହୋଇଥିବା ୨୫ ଡିସିମିଲି ଯାଗାରୁ ଶ୍ରୀମନ୍ଦିର ପ୍ରଶାସନ ନାମରେ ୨୨ ଡିସିମିଲି ଓ କମ୍ପ୍ଲେକ୍ସ ମାଲିକଙ୍କ ନାମରେ ମାତ୍ର ୩ ଡିସିମିଲି ଜମି ରହିଛି। ପରେ ଉକ୍ତ ଜମିକୁ ମହାପ୍ରଭୁଙ୍କ ନାମରେ ଫେରାଇ ଆଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତହସିଲଦାରଙ୍କୁ ଚିଠି କରାଯାଇଥିଲା।