ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଚୋରି

ବ୍ରହ୍ମପୁର ଅଫିସ,୯ା୧୨: ବୈଦ୍ୟନାଥପୁର ଥାନା ଅଧୀନ ରାମନଗର ନିକଟ ମ୍ୟୁନିସିପାଲିଟି କଲୋନୀର ଜଣଙ୍କ ଘରୁ ଚୋରି ହୋଇଛି। କେହି ଦୁର୍ବୃତ୍ତ ସ୍ବପ୍ନା ପ୍ରଧାନଙ୍କ ଘରେ ପଶି ଆଲମିରାରୁ ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଚୋରି କରି ନେଇଛନ୍ତି। ଏ ନେଇ ଥାନାରେ ସ୍ବପ୍ନାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା(ନଂ.୪୩୦/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଭଞ୍ଜନଗର ନିକଟସ୍ଥ ବିଡିପୁର ଶାସନର ମୂଳନିବାସୀ କାର୍ତ୍ତିକ ପ୍ରଧାନ ଓ ତାଙ୍କ ସ୍ତ୍ରୀ ସ୍ବପ୍ନା ବ୍ରହ୍ମପୁର ମ୍ୟୁନିସିପାଲିଟି କଲୋନୀରେ ଘର ଭଡ଼ା ନେଇ ରହୁଥିଲେ। ଜଣେ ଠିକାଦାରଙ୍କ ପାଖରେ କାମ କରୁଥିବା କାର୍ତ୍ତିକ କୌଣସି କାମରେ ଗାଁକୁ ଯାଇଥିଲେ। ତାଙ୍କର ଜଣେ ସାଙ୍ଗ ଭଡ଼ାଘରକୁ ଯିବା ଆସିବା କରିଥାନ୍ତି। ସେ ପୂର୍ବରୁ ନେଇଥିବା ଏକ ସାଇକେଲ ଫେରାଇବାକୁ ଗତ ୭ତାରିଖରେ ଘରକୁ ଆସିଥିଲେ। ସ୍ବପ୍ନାଙ୍କ ଅନୁପସ୍ଥିତିରେ ସେ ଘରକୁ ଆସି ଯିବାପରେ ଆଲମିରା ଖୋଲାଥିବା ଦେଖିଥିଲେ। ଆଲମିରାରୁ ୧ଲକ୍ଷ ୪୦ହଜାର ଟଙ୍କା ଓ ୩୦ ଗ୍ରାମ ଓଜନର ଏକ ସୁନା ହାର ଗାଏବ ହୋଇଥିବା ଦେଖିଥିଲେ। ସ୍ବପ୍ନା ଏନେଇ ତାଙ୍କ ସ୍ବାମୀଙ୍କୁ ଜଣାଇବା ସହ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି କାର୍ତ୍ତିକଙ୍କ ସାଙ୍ଗଙ୍କ ଢେଙ୍କାନାଳ କୁଟାବିରାସ୍ଥିତ ଘରକୁ ଯାଇଥିଲା। ସେଠାରେ ତାଙ୍କୁ ନ ପାଇ ପୋଲିସ ନିରାଶରେ ଫେରିଛି।