Categories: ଜାତୀୟ

ଲଖିମପୁର ଘଟଣାକୁ ନେଇ ରାଜନୀତି ସରଗରମ, ଅଖିଳେଶଙ୍କ ପରେ ପ୍ରିୟଙ୍କା ଗାନ୍ଧୀ, ସଞ୍ଜୟ ସିଂ ଉଠାଇଲେ ପ୍ରଶ୍ନ

ଲକ୍ଷ୍ନୌ,୧୫ ।୯: ଉତ୍ତର ପ୍ରଦେଶର ଲଖିମପୁରରେ ଦୁଇ ଭଉଣୀଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ବୁଧବାର ଉଦ୍ଧାର କରାଯାଇଛି । ଏହି ମାମଲା ଲଖିମପୁର ଖେରିର ନିଘାସନ କୋତୱାଲିର ବୋଲି ଜଣାପଡିଛି । ଏହି ମାମଲାରେ ଏଡିଜି ଆଇନ ବ୍ୟବସ୍ଥା ପ୍ରଶାନ୍ତ କୁମାରଙ୍କ ବୟାନ ସାମ୍ନାକୁ ଆସିଛି । ଏବେ ଏହି ଘଟଣାକୁ ନେଇ ରାଜନୀତି ହେଲାଣି ସରଗରମ । ପ୍ରଥମେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଥିଲେ ଏହା ହାଥରସର ପୁନାରାବୃତ୍ତି । ଏବେ ଏହି ଘଟଣାକୁ ନେଇ ପ୍ରିୟଙ୍କା ଗାନ୍ଧୀ ଓ ସଞ୍ଜୟ ସିଂ ବି ପ୍ରଶ୍ନ ଉଠାଇଲେଣି ।
ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଟୁଇଟ୍ କରି ଲେଖିଛନ୍ତି, ‘ନିଘାସନ ଥାନା ଅଞ୍ଚଳରେ ଦୁଇ ଦଳିତ ଭଉଣୀଙ୍କୁ ଅପହରଣ କରି ପରେ ହତ୍ୟା କରିବା ଓ ଏହାସହ ଏମାନଙ୍କ ପିତାଙ୍କ ଅଭିଯୋଗ ଯେ ବିନା କୌଣସି କର୍ମ ଅବା ପୋଷ୍ଟମର୍ଟମ ନ କରିବା, ଲଖିମପୁରରେ କୃଷକଙ୍କ ପରେ ଏବେ ଦଳିତଙ୍କୁ ହତ୍ୟା ‘ହାଥରସ କି ବେଟି’ ଜଘନ୍ୟ ହତ୍ୟାକାଣ୍ଡର ପୁନରାବୃତ୍ତି । ଏହାସହ ଅଖିଳେଶ ଏକ ଭିଡିଓ ବି ଶେୟାର କରିଛନ୍ତି ।
ଏହି ଘଟଣାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଲଖିମପୁର(ୟୁପି)ରେ ଦୁଇ ଭଉଣୀଙ୍କ ହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଦିନ ଦ୍ୱିପ୍ରହରରେ ଦୁଇ ଭଉଣୀଙ୍କୁ ଅପହରଣ କରି ହତ୍ୟା କରିବା ଅତ୍ୟନ୍ତ ନିନ୍ଦନୀୟ । ପ୍ରତିଦିନ ଖବର କାଗଜ ଓ ଟେଲିଭିଜନରେ ମିଛ ବିଜ୍ଞାପନ ଦେଲେ ଆଇନ ବ୍ୟବସ୍ଥା ସୁଧୁରି ଯାଇ ନ ଥାଏ । ଦିନକୁ ଦିନ ମହିଳାଙ୍କ ଉପରେ ଜଘନ୍ୟ ଅପରାଧ କାହିଁକି ବଢି ଚାଲିଛି, କେବେ ଯିବେ ଏହି ସରକାର ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ଆମ ଆଦମୀ ପାର୍ଟି(ଏଏପି) ନେତା ସଞ୍ଜୟ ସିଂ କହିଛନ୍ତି, ଲଖିମପୁରରେ ଦଳିତ ସମାଜର ଦୁଇ ଭଉଣୀଙ୍କୁ ଅପହରଣ ପରେ ହତ୍ୟା । ଗଛରେ ଛୁଲନ୍ତା ଅବସ୍ଥାରେ ମିଳିଛି ମୃତଦେହ । ପରିବାର ଲୋକେ ନିର୍ମମ ହତ୍ୟାର ଅଭିଯୋଗ ଆଣୁଛନ୍ତି । ଏହି ଘଟଣାକୁ ବିରୋଧ କରି ଲୋକେ ରାଜରସ୍ତାକୁ ଆସିଲେଣି । ଆଦିତ୍ୟନାଥଙ୍କ ବେଟି ବଚାଓ ନାରାର ପୋଲ ଖୋଲୁଛି ଏହି ଘଟଣା ।
ସୂଚନାଯୋଗ୍ୟ, ଲଖିମପୁରର ଦଳିତ ସମାଜର ଦୁଇ ଭଉଣୀଙ୍କୁ ତାଙ୍କ ମାଆଙ୍କ ସାମ୍ନାରେ ବାଇକରେ ଆସି ୩ ଜଣ ଦୁର୍ବୁତ୍ତ ସେମାନଙ୍କୁ ଅପହରଣ କରି ନେଇଥିଲେ । ଏହାପରେ ସେମାନଙ୍କ ମୃତଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।

Share