ସମ୍ବଲପୁର-ସୁନ୍ଦରଗଡ଼କୁ ଯୋଡ଼ିଲା ଲହରଙ୍ଗା ସେତୁ

ସମ୍ବଲପୁର,୧୩ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବାମରା ବ୍ଲକ ଲହରଙ୍ଗା ନଦୀରେ ନିର୍ମିତ ସେତୁ ବୁଧବାର ଉଦ୍‌ଘାଟିତ ହୋଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହା ଦ୍ୱାରା ଗମନାଗମନ କ୍ଷେତ୍ରରେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲା ଯୋଡିହୋଇଛି।

ବାମରା ବ୍ଲକର ପିଣ୍ଡାପଥର ନିକଟରେ ଲହରଙ୍ଗା ନଦୀ ପ୍ରବାହିତ। ନଦୀ ଉପରେ ସେତୁ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ମୁଖ୍ୟମନ୍ତ୍ରୀ ନୂତନ ସେତୁ ପ୍ରକଳ୍ପ ମଞ୍ଜୁର କରିବା ପରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଏହାର ଶିଳାନ୍ୟାସ କରିଥିଲେ। ପ୍ରାୟ ୫. ୪୭.୫୧ ଲକ୍ଷ ଟଙ୍କାରେ ନିର୍ମିତ ସେତୁର ଦୈର୍ଘ୍ୟ ୯୧.୮ ମିଟର ଓ ପ୍ରସ୍ଥ ୭.୫ମିଟର ରହିଛି। ଏହି ସେତୁ ହେବା ଫଳରେ ଆଖପାଖ ଗୋବିନ୍ଦପୁର, ବାଉଁଶଲଗା, କୁଟାରୀମାଲ, ପିଣ୍ଡାପଥର, ଗଡ଼ପୋଷ, କାଳିଆପଡା, ଫିରିଙ୍ଗିବାହାଲ, ଲାଲବୀରା, ସାଗର, କିନାବଗା, ରାଇବଗା, ଉଚକପାଟ, ରଙ୍ଗିଆଟିକିରା ସମେତ ସୁନ୍ଦରଗଡ଼ ଜିଲାର ବଡ଼ଗାଁ, କୁତ୍ରା, ପାମାର ପଞ୍ଚାୟତବାସୀ ଉପକୃତ ହେବେ।