ଲଡୁବାବାଙ୍କ ମନ୍ଦିରର ଭୋଗ ଅନନ୍ୟ

ଶରଣକୁଳ,୧୫ା୫(ଡି.ଏନ.ଏ.): ଓଡ଼ିଶାର ପ୍ରସିଦ୍ଧ ଶୈବକ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ମନ୍ଦିର ପରିଚାଳନା ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବାରୁ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରି ବେଶ୍‌ ଆନନ୍ଦ ଉପଭୋଗ କରୁଛନ୍ତି। ପ୍ରଭୁ ଲଡ଼ୁବାବାଙ୍କ ସକାଳ ବଲ୍ଲଭଠାରୁ ରାତ୍ର ବଡ଼ଶୃଙ୍ଗାର ପର୍ଯ୍ୟନ୍ତ ବିଭିନ୍ନ ନୀତି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ନୀତି ସମୟରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଭୋଗ, ପ୍ରସାଦ ପାଇ ଭକ୍ତମାନେ ନିଜକୁ ଧନ୍ୟ ମନେକରୁଛନ୍ତି। ଠାକୁରଙ୍କ ପାଖରେ କୌଣସିପ୍ରକାର ବାସିଭୋଗ ବିକ୍ରି ହୁଏନାହିଁ। ପ୍ରତିଦିନ ପ୍ରସାଦ ପାଇବାକୁ ଏତେ ଲୋକ ସମାଗମ ହେଉଛନ୍ତି ଯେ, ଲଟେରି ମାଧ୍ୟମରେ ପ୍ରସାଦ ବିକ୍ରି ହେଉଥିବା ଭକ୍ତମାନଙ୍କଠାରୁ ପ୍ରକାଶ। ଦେବୋତ୍ତର ବିଭାଗର ନିୟମ ଅନୁଯାୟୀ, ମହାପ୍ରଭୁଙ୍କ ପାଇଁ ଭୋଗ ପ୍ରସ୍ତୁତ କରାଯାଇଥାଏ। ସକାଳ ବଲ୍ଲଭ ନୀତିରେ ମହାପ୍ରଭୁଙ୍କ ଭୋଗ ପାଇଁ ପ୍ରସ୍ତୁତ ହେଉଥିବା କୋରା, ମଧ୍ୟାହ୍ନ ଧୂପରେ ପ୍ରସ୍ତୁତ ଝିଲ୍ଲି ଏବଂ ପୁଡ଼ା ଭୋଗରେ ପ୍ରସ୍ତୁତ ଏଣ୍ଡୁରି, କାନ୍ତି ବରା ତଥା କାକରା ଅତ୍ୟନ୍ତ ସୁସ୍ବାଦୁ ହୋଇଥାଏ। ଚାହିଦା ମୁତାବକ ଭୋଗ ମିଳୁ ନ ଥିବା ଭୋଗ ପ୍ରତ୍ୟାଶୀଙ୍କଠାରୁ ପ୍ରକାଶ। ସାରେ ଟେରା ଭୋଗରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ମାଣ୍ଡୁଅ ପଣା, ସରପଣା, ତାଟଖଜା ଏବଂ ଗୋପାଳ ଅତ୍ୟନ୍ତ ଉଚ୍ଚକୋଟୀର। ବଡ଼ଶୃଙ୍ଗାରରେ ସର ଶୁଆଳି ଏବଂ ଗଜା କଦମ୍ବା ରାଜ୍ୟର ବିଭିନ୍ନ ମନ୍ଦିରରେ ମିଳୁଥିବା ଭୋଗଠାରୁ ଅତ୍ୟନ୍ତ ଉତ୍କୃଷ୍ଟ ବୋଲି ଶ୍ରଦ୍ଧାଳୁମାନେ କହିଛନ୍ତି। ଏ ଭୋଗ ଥରେ ଯିଏ ଖାଇଛି ସେ ବାରମ୍ବାର ପାଇବାର ଇଚ୍ଛା ପୋଷଣ କରିଥାନ୍ତି। ଏହି ଭୋଗ ଶୁଦ୍ଧ ଗୁଆଘିଅ ତଥା ଦେଶୀଗାଈ ଛେନାରେ ପ୍ରସ୍ତୁତ ହୁଏ ବୋଲି ସେବାସୀମାନେ କହିଛନ୍ତି। ପ୍ରତିଦିନ ଏହି ଭୋଗ ଲଟେରି ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କୁ ବିକ୍ରି କରାଯାଏ। ଏଣୁ ବାସିଭୋଗ ବିକ୍ରି କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଶ୍ରଦ୍ଧାଳୁଙ୍କଠାରୁ ଶୁଣିବାକୁ ମିଳୁଛି। ଠାକୁରଙ୍କ ଶଙ୍ଖୁଡ଼ି ଭୋଗରେ କାନିକା, ଖେଚୁଡ଼ି, ଡାଲମା, ଭଜା ଏବଂ ଖିରି ଭୋଗ ହୋଇଥାଏ। ଅନ୍ୟ ମନ୍ଦିର ଅପେକ୍ଷା ଲଡ଼ୁବାବାଙ୍କ ଶଙ୍ଖୁଡ଼ି ଭୋଗ ମଧ୍ୟ ଅତ୍ୟନ୍ତ ସୁସ୍ବାଦୁ। ଏ ସମ୍ପର୍କରେ ଲଡ଼ୁବାବା ମନ୍ଦିର ସୁପରଭାଇଜର ସୁବାସ ଚନ୍ଦ୍ର ବରାଡ଼ଙ୍କୁ ପଚାରିବାରେ ମନ୍ଦିରରେ ଯେତିକି ଭୋଗ ପ୍ରସ୍ତୁତ ହୁଏ ତାହା ନେବାକୁ ଏତେ ଲୋକ ଆସନ୍ତି ଯେ, ଆମକୁ ଲଟେରି ମାଧ୍ୟମରେ କେଉଁ ଭୋଗ କାହାକୁ ଦିଆଯିବ ତାହା ନିର୍ଣ୍ଣୟ କରିବାକୁ ପଡ଼େ। କିଛି ଲୋକ ଭୋଗ ନ ପାଇ ମନଦୁଃଖରେ ଫେରିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି।