Categories: ଜାତୀୟ

ନଦୀକୁ ଖସିଲା ଯବାନଙ୍କୁ ନେଇ ଯାଉଥିବା ବସ୍‌

ଲେହ,୨୭।୫: ଲଦାଖର ତୁରତୁକ ସେକ୍ଟରରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨୬ଜଣ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‌ ଭାରସାମ୍ୟ ହରାଇ ଶ୍ୟୋକ ନଦୀରେ ଖସିପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୭ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଏହି ଦୁର୍ଘଟଣା ଥୋଇସ୍‌ରୁ ପ୍ରାୟ ୨୫ କିଲୋମିଟର ଦୂରରେ ହୋଇଛି। ସୂଚନାଯୋଗ୍ୟ, ପରତାପୁରରେ ଟ୍ରାଞ୍ଜିଟ୍‌ କ୍ୟାମ୍ପରୁ ୨୬ଜଣ ଯବାନଙ୍କୁ ଧରି ସବ୍‌ ସେକ୍ଟର ହନୀଫକୁ ଯାଉଥିବା ବେଳେ ଥୋଇସ୍‌ରୁ ପ୍ରାୟ ୨୫ କିଲୋମିଟର ଦୂରରେ ବସ୍‌ଟି ଘାଟିରୁ ୫୦ରୁ ୬୦ ଫୁଟ୍‌ ତଳକୁ ଶ୍ୟୋକ୍‌ ନଦୀରେ ଖସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୭ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ସେନାର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପରତାପୁର ୪୦୩ ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କର ଚିକିତ୍ସା କରାଯାଉଥିବା ବେଳେ ଲେହରୁ ଏକ ସର୍ଜିକାଲ ଟିମ୍‌କୁ ପରତାପୁର ପଠାଯାଇଛି। ତେବେ ଏହି ଦୁର୍ଘଟଣା କିଭଳି ଘଟିଲା ସେନେଇ ସ୍ପଷ୍ଟ ହୋଇ ନ ଥିବା ବେଳେ ସେନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Share