ତହସିଲରେ କର୍ମଚାରୀ ଅଭାବ: ଅସୁବିଧା ଭୋଗୁଛନ୍ତିି ଗ୍ରାମବାସୀ

ଝୁମ୍ପୁରା, ୬ା୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ତହସିଲ କାର୍ଯ୍ୟାଳୟ ସହିତ ତହସିଲ ନିୟନ୍ତ୍ରଣରେ ରହିଥିବା ୭ଟି ରାଜସ୍ବ ସର୍କଲରେ ମଧ୍ୟ କର୍ମଚାରୀ ଅଭାବ ଯୋଗୁ ଗ୍ରାମାଞ୍ଚଳ ବାସୀନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୧୦ମସିହା ପାଖରୁ ଝୁମ୍ପୁରା ତହସିଲ କାଯର୍‌ୟକ୍ଷମ ହେବାପରେ ବର୍ତ୍ତମାନ ପର୍ଯ୍ୟନ୍ତ କର୍ମଚାରୀ ଅଭାବ ରହି ଆସିଛି। ଝୁମ୍ପୁରା ତହସିଲ ନିୟନ୍ତ୍ରଣରେ ଥିବା ୭ଟି ରାଜସ୍ବ ସର୍କଲ ଝୁମ୍ପୁରା, ବାଲିବନ୍ଧ, ଗୁମୁରା, ଉଖୂଣ୍ଡା, ମଲଦା, ଚଉଠିଆ, ଏବଂ ଏବେ ନୂଆଭାବେ ହୋଇଥିବା ବଡ ଡୁମୁରିଆ ରାଜସ୍ବ ସର୍କଲ କର୍ମଚାରୀ ଅଭାବ ଯୋଗୁ ଗାଁ ଲୋକଙ୍କର ଶହ ଶହ ସଂଖ୍ୟାରେ ଜମି ମାପଚୁପ କେଶ ବର୍ଷ ବର୍ଷ ଧରି ପଡି ରହିଥିବା ଜଣା ପଡିଛି।

ସଂକ୍ରାନ୍ତୀୟ ମାମଲା ଗୁଡିକରେ ଗ୍ରାମାଞ୍ଚଳ ବାସୀନ୍ଦା ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଖର୍ଚ୍ଚାନ୍ତ ହୋଇ ଦୌଡୁଥିଲେ ମଧ୍ୟ କାମ ହୋଇପାରୁନାହିଁ। ଜଙ୍ଗଲଜମି ପଟ୍ଟା ପାଇଁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଆଦି କାମ ପାଇଁ ବର୍ଷ ବର୍ଷ ଚାଲି ଯାଉଛି। ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ ଆଣୁଥିଲେ ହେଁ, ସମସ୍ୟାର ସମାଧାନ ହୋଇ ପାରୁନାହିଁ। ସୂଚନା ଅନୁଯାୟୀ ଝୁମ୍ପୁରା ତହସିଲ କାର୍ଯ୍ୟାଳୟ ସମେତ ରାଜସ୍ବ ସର୍କଲ ଗୁଡିକରେ ସମୁଦାୟ ୩୬ ଜଣ କର୍ମଚାରୀ ରହିବାର ବ୍ୟବସ୍ଥା ଥିଲେ ହେଁ, ଏବେ ମାତ୍ର ୧୭ଜଣ କର୍ମଚାରୀରେ ତହସିଲ କାଯର୍‌ୟାଳୟ ଓ ରାଜସ୍ବ ସର୍କଲ ଗୁଡିକ ଚାଲିଛି। କୌଣସି ଗୋଟିଏ ହେଲେ ରାଜସ୍ବ ସର୍କଲରେ ପିଅନ ନାହାନ୍ତି। ଜଙ୍ଗଲାଞ୍ଚଳରେ ଅବସ୍ଥିତ ମଲଦା ରାଜସ୍ବ ସର୍କଲ ଏବଂ ଗୁମୁରା ରାଜସ୍ବ ସର୍କଲ ଅବସ୍ଥା ଦୟନୀୟ ହୋଇ ପଡିଛି। କର୍ମଚାରୀ ଅଭାବର ସୁଯୋଗ ନେଇ ଲଘୁ ଖଣିଜ ବାଲି, ପଥର ଚୋରି ମଧ୍ୟ ବଢିବାରେ ଲାଗିଛି। ଯାହାଫଳରେ ରାଜସ୍ବ ପ୍ରଭାବିତ ହେଉଛି। ବର୍ତ୍ତମାନ ତହସିଲ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀଙ୍କ ସହିତ ଜୁନିୟର କିରାଣି ୩ ଜଣଙ୍କ ଜାଗା ଖାଲି ପଡିଛି। ସେହିପରି ଅତିରିକ୍ତ ରାଜସ୍ବ ନିରୀକ୍ଷକ ପଦବୀ ୫, ରାଜସ୍ବ ନିରୀକ୍ଷକ ପଦବୀ ୧, ପିଅନ ପଦବୀ ୮ ଏବଂ ଗୋଟିଏ ଅମିନ ପଦବୀ ଖାଲି ପଡିଛି। ଏସମ୍ପର୍କରେ ତହସିଲଦାର ପ୍ରତିଭା ପୃଷ୍ଟିଙ୍କୁ ପଚାରିବାରୁ ଏନେଇ ଜିଲା ପ୍ରଶାସନକୁ ଅବଗତ କରାଯାଇଛି ବୋଲି କହିଛନ୍ତି।