ବର୍ଷା ଅଭାବ: ଚାଷଜମିରୁ ଫେରି ଘରେ ବିଷ ପିଇଲେ ଚାଷୀ

ବଲାଙ୍ଗୀର ଅଫିସ, ୩।୯: ଚାଷଜମିରୁ ଫେରି ଘରେ ବିଷ ପିଇ ଦେଇଥିଲେ ଚାଷୀ। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲାର ତୁରେକେଲା ବ୍ଲକ ଅନ୍ତର୍ଗତ କାଦୋବେଡ଼ା ଗ୍ରାମରେ।
ଉକ୍ତ ଗ୍ରାମର ରେଚକା ବନଛୋର (୬୦) ଗୁରୁବାର ଚାଷ ଜମିରୁ ଫେରିବା ପରେ ଘରେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଏବଂ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ବର୍ଷା ଅଭାବରୁ ତାଙ୍କର କପା ଓ ଧାନ ଚାଷ ନଷ୍ଟ ହୋଇଥିବା ବେଳେ ଫସଲ ନଷ୍ଟ ଯୋଗୁ ଜମିରୁ ଫେରି ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।