ପ୍ରୋତ୍ସାହନ ଅଭାବ: ଲୁଣିମାଠିଆ ଆଦିବାସୀ ହକି ଖେଳାଳି

ମହାକାଳପଡ଼ା,୧୩ା୧(ଡି.ଏନ୍‌.ଏ.): ହକି ବିଶ୍ୱକପ୍‌ ପାଇଁ ସାରା ଓଡ଼ିଶା ସହ ବିଶ୍ୱ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଭିନ୍ନ ଦେଶରୁ ଆସିଥିବା ଖେଳାଳି ଖେଳ ନୈପୁଣ୍ୟତା ଦେଖାଇବେ। ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପଟ୍‌ଛେଲା ପଞ୍ଚାୟତ ଲୁଣିମାଠିଆ ଗାଁରେ ଅନେକ ଆଦିବାସୀ ପ୍ରତିଭାବାନ୍‌ ଖେଳାଳିଙ୍କ ହକି ଖେଳ ପ୍ରତି ଆଗ୍ରହ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ଯାଉଛନ୍ତି। ଖେଳାଳିମାନେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ୍‌ ଆୟୋଜନ କରୁଥିବା ବେଳେ ଆମ ଗାଁର ହକି କ୍ରୀଡ଼ା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିଲେ ଗାଁ ଖେଳାଳିମାନେ ଜିଲା, ରାଜ୍ୟ, ଜାତୀୟ ସ୍ତରରେ ପହଞ୍ଚତ୍ବା ପାଇଁ ଉଦ୍ୟମ କରିବୁ ବୋଲି ହକି ଅଧିନାୟକ ଉତ୍ତମ କୁମାର ମାଝି ମତବ୍ୟକ୍ତ କରିଛନ୍ତି।
ହକି କ୍ରୀଡାବିତ୍‌ ଗଙ୍ଗାଧର ମୁର୍ମୁ କହିଛନ୍ତି, ଲୁଣିମାଠିଆ ଗାଁର ଖେଳାଳିଙ୍କ ହକି ଖେଳ ପ୍ରତି ଆଗ୍ରହ ଥିଲେ ମଧ୍ୟ କିଛି ସରକାରୀ ପ୍ରୋତ୍ସାହନ ମିଳିଲେ ଆମେ ନିଶ୍ଚିତ ଆଗକୁ ମନୋବଳ ବଢ଼ିବ। ହକି ଷ୍ଟିକ ଓ ବଲ୍‌ ନ ଥିବାରୁ ବାଧ୍ୟ ହୋଇ ପିଲାମାନେ ବାଉଁଶ ଲାଠି, ରବର୍‌ ଚପଲ ବଲ କରି ଖେଳୁଛନ୍ତି। ସୌମେନ୍ଦ୍ର ସୋରେନ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଏକମାତ୍ର ଏହି ଲୁଣିମାଠିଆ ଗ୍ରାମରେ ବହୁ ହକି ଖେଳାଳି ଥିଲେ ମଧ୍ୟ ଏମାନେ ସମସ୍ତଙ୍କ ନଜର ଆଡୁଆଳିରେ ରହି ଯାଇଛନ୍ତି। ଏହି ହକି ଖେଳାଳିମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ରୋଜଗାର ପାଇଁ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଯାଉଛନ୍ତି। ସାମାଜିକ କର୍ମୀ ଲକ୍ଷ୍ମୀକାନ୍ତ ସ୍ବାଇଁ କହିଛନ୍ତି, ଏହି ଅଞ୍ଚଳର ହକି ଖେଳାଳିମାନଙ୍କୁ ସରକାରୀ, ବେସରକାରୀ ସ୍ତରରେ ଆର୍ଥିକ ସହାୟତା ଓ ପ୍ରୋତ୍ସାହନ ଯୋଗାଇ ଦେଲେ ଏମାନେ ଭଲ ଖେଳ ପ୍ରଦର୍ଶନ କରିପାରନ୍ତେ। ଅପରପକ୍ଷରେ ହକି ବିଶ୍ୱକପ୍‌ ମହାକୁମ୍ଭ ଆରମ୍ଭ ହୋଇଥିଲା ବେଳେ ମହାକାଳପଡ଼ା ବ୍ଲକ ଲୁଣିମାଠିଆ ଗାଁର ଏହି ଆଦିବାସୀ ହକି ଖେଳାଳିମାନେ ବାଉଁଶ ଲାଠି ଓ ଛିଣ୍ଡା ଚପଲରେ ଦୈନିକ ହକି ଖେଳ ଖେଳୁଥିବା ମୋହନ ମାଝି, ଦାସ ମାଝି, ଲକ୍ଷ୍ମଣ ହେମ୍ବ୍ରମ୍‌, ଦେବଦତ୍ତ ମାଝି, ଶକ୍ତି ଚୋପିଆର, ପ୍ରଶାନ୍ତ ଟୁଡୁ, ରାଜେଶ ଟୁଡୁଙ୍କ ସମେତ ଅନ୍ୟ ଖେଳାଳିମାନେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ଏହି ଖେଳାଳିଙ୍କ ପ୍ରତି ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି।