ଭିତ୍ତିଭୂମି ଅଭାବ, ପ୍ରାଣୀ ଚିକିତ୍ସା ପ୍ରଭାବିତ

ରାଉରକେଲା,୩୧।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ଅଧୀନ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟରେ ଭିତ୍ତିଭୂମି ଅଭାବ ଯୋଗୁ ପ୍ରାଣୀ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି। କେଉଁଠି ନିଜସ୍ବ ଘର ନାହିଁ ତ ଆଉ କେଉଁଠି ଭଡାରେ ଚାଲିଛି। ସେହିପରି କର୍ମଚାରୀଙ୍କ ଅଭାବ ମଧ୍ୟ ରହିଛି। ଏଭଳି ଦୀର୍ଘବର୍ଷ ଧରି ଚାଲିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ।
ରାଉରକେଲା ମହାନଗର ନିଗମ ଅଧୀନ ୪୦ଟି ଓ୍ବାର୍ଡର ପ୍ରାଣୀଙ୍କ ଚିକିତ୍ସା ସେବା ପାଇଁ ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ରଘୁନାଥପାଲି, ଛେଣ୍ଡ, ବିଶ୍ରା ରୋଡ ଓ ସେକ୍ଟର-୧୪ରେ ୪ଟି ଏଲ୍‌ଆଇ କେନ୍ଦ୍ର ରହିଛି। ତେବେ ବର୍ଷ ବର୍ଷ ଧରି ରଘୁନାଥପାଲି ଓ ଛେଣ୍ଡରେ ଥିବା ଏଲ୍‌ଆଇ କେନ୍ଦ୍ର ପାଇଁ ଆବଶ୍ୟକ ଜମି ମିଳୁ ନ ଥିବାରୁ ନୂତନ କେନ୍ଦ୍ର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଏହି ଦୁଇ କେନ୍ଦ୍ର ଏବେ ମଧ୍ୟ ଭଡାରେ ଚାଲିଛି। ସେହିପରି ବିଶ୍ରା ରୋଡ୍‌ ଏବଂ ସେକ୍ଟର-୧୪ ଏଲ୍‌ଆଇ କେନ୍ଦ୍ର ଦୀର୍ଘବର୍ଷ ହେଲା ମରାମତି ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ ସହରର ପ୍ରାଣୀ ଚିକିତ୍ସା ବ୍ୟାହତ ହେଉଛି। ରାଉରକେଲା ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଗାଈ ୭୧୦୨, ମଇଁଷ ୧୬୮୬, ମେଣ୍ଡା ୧୨୧, ଛେଳି ୪୭୧୧, ଘୁଷୁରି ୩୫୯, ବତକ ୨୧୯, କୁକୁର ୯୫୮୦, ବଳଦ ୫୮୦, କୁକୁଡା ୧୪୩୩୭ ଏବଂ ପୋଷା କୁକୁର ୧୫ହଜାର ରହିଛନ୍ତି। ଉକ୍ତ ପ୍ରାଣୀ ଚିକିତ୍ସାଳୟ ଅଧୀନ ୪ଟି ଏଲ୍‌ଆଇ କେନ୍ଦ୍ରରେ ଜଣେ ସୁଦ୍ଧା ଚତୁର୍ଥ କର୍ମଚାରୀ ନାହାନ୍ତି। ଫଳରେ ଏଲ୍‌ଆଇମାନେ ସମସ୍ତ କାମ ତୁଲାଉଛନ୍ତି। ଏଥିସହ ମୁଖ୍ୟ କେନ୍ଦ୍ରରେ ଜଣେ ମାତ୍ର ଚୌକିଦାର ଥିବା ବେଳେ ଅନ୍ୟ ସବୁଠି ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଦୀର୍ଘବର୍ଷରୁ ପୂରଣ ହେଉନି। ସେହିପରି ୪ଜଣ ପ୍ରାଣୀସମ୍ପଦ ବିଶେଷଜ୍ଞ ବଦଳରେ ୩ ଜଣରେ କାମ ଚାଲିଛି। ଏତଦବ୍ୟତୀତ ମୁଖ୍ୟକେନ୍ଦ୍ରରୁ ଆବଶ୍ୟକ ମୁତାବକ ଔଷଧ ମଧ୍ୟ ମିଳୁନି। ଏକମାତ୍ର ଭେଟେନାରୀ ୟୁନିଟ୍‌ ଦ୍ୱାରା ସହରସାରା ଭ୍ରାମ୍ୟମାଣ କ୍ୟାମ୍ପ ଚାଲିଥିବା ବେଳେ ବର୍ଷ ବର୍ଷ ଧରି ଭେଟେନାରୀ ୟୁନିଟ ଅନୁପାତ ବୃଦ୍ଧି ଦାବି ପୂରଣ ହେଉନାହିଁ। କର୍ମଚାରୀଙ୍କ ରହିବା ପାଇଁ କ୍ୱାର୍ଟର ବ୍ୟବସ୍ଥା ମଧ୍ୟ ନାହିଁ। ଏଭଳି ନାନା ସମସ୍ୟା ଏବଂ ଅସଜଡା ଭିତ୍ତିଭୂମି ଯୋଗୁ ଦିନକୁ ଦିନ ପ୍ରାଣୀସମ୍ପଦ ସେବା କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏସବୁ ଦିଗରେ ତ୍ୱରିତ ପଦକ୍ଷେପ ନିଆ ନ ଗଲେ ରାଉରକେଲାରେ ପ୍ରାଣୀସମ୍ପଦ ହ୍ରାସ ପାଇବା ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ରାଉରକେଲା ପ୍ରାଣୀସମ୍ପଦ ବିଭାଗ ଅଧିକାରୀ ପ୍ରସନ୍ନ କୁମାର ମହାରଣାଙ୍କୁ ପଚାରିବାରୁ ସେ କହିଲେ, ରାଉରକେଲା ପ୍ରାଣୀ ଚିକିତ୍ସାଳୟର ପୂର୍ବ ସମସ୍ୟା ଧୀରେ ଧୀରେ ସମାଧାନ ହେଉଛି। ଇତିମଧ୍ୟରେ ହସ୍ପିଟାଲ କ୍ୟାମ୍ପସରେ ୧କୋଟି ୬୦ଲକ୍ଷ ଟଙ୍କା ବ୍ୟୟରେ ନୂତନ ବିଲ୍ଡିଂ କାମ ଚାଲିଛି। ଏହାପରେ କର୍ମଚାରୀଙ୍କ ସମସ୍ୟା ଦୂର ହେବ। ଭିତ୍ତିଭୂମି ସଜଡାଯିବା ସହ ପ୍ରାଣୀ ସେବାରେ ଉନ୍ନତି ପାଇଁ ଆଗକୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମହାରଣା କହିଥିଲେ।