ଡିଏଚ୍‌ଏଚ୍‌ର ନାହିଁ ଭିତ୍ତିଭୂମି: କଟକରେ ରୋଗୀ

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୬ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ବଜାରର କାର୍ତ୍ତିକେଶ୍ୱର ମେଢ଼ ଭସାଣିରେ ବୁଧବାର ସନ୍ଧ୍ୟାରେ ବାଣ ବିସ୍ଫୋରଣ ଘଟିଥିଲା। ଏଥିରେ ଶତାଧିକ ଆହତ ହୋଇଥିବା ବେଳେ ଏବେ ସୁଦ୍ଧା ୪୦ ଜଣ କଟକ ଓ କେନ୍ଦ୍ରାପଡ଼ାରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଘଟଣା କେନ୍ଦ୍ରାପଡ଼ା ଜିଲାର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପଦାରେ ପକାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ପ୍ରାଥମିକ ଚିକିତ୍ସା ନ ପାଇ କେତେକ ସାମାନ୍ୟ ଆହତ ଘରକୁ ଫେରିଛନ୍ତି। ଏପରି କି ଆମ୍ବୁଲାନ୍ସ ସେବା ଏଠାରେ ପର୍ଯ୍ୟାପ୍ତ ନ ଥିବା ଲୋକଲୋଚନକୁ ଆସିଛି। ଶାମଗୁଡିଆଠାରେ ନବନିର୍ମିତ ମାତୃ ଶିଶୁ ମଙ୍ଗଳ କେନ୍ଦ୍ର ସହିତ ଡିଏଚ୍‌ଏଚ୍‌ ଗୃହ ଦୁଇଥର ଉଦ୍‌ଘାଟିତ ହୋଇସାରିଛି। ହେଲେ ଡିଏଚ୍‌ଏଚ୍‌ର ଭିତ୍ତିଭୂମି ନ ଥିବାରୁ ବାଣ ବିସ୍ଫୋରଣରେ ଆହତମାନଙ୍କୁ କଟକକୁ ପଠାଯାଇଥିଲା।
ଏ ସମ୍ପର୍କରେ ସାମାଜିକ କର୍ମୀ ମନୋଜ କୁମାର ନାୟକ, ବିଧୁଭୂଷଣ ମହାପାତ୍ର, ରମେଶ ଚନ୍ଦ୍ର ପ୍ରଧାନ, ଶିବାଶିଷ ମହାନ୍ତି, ନୀହାର ରଞ୍ଜନ ପ୍ରଧାନ ପ୍ରମୁଖ କହିଛନ୍ତି ଯେ, ୨୦୧୬ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାତୃ ଶିଶୁ ମଙ୍ଗଳ କେନ୍ଦ୍ର ନିର୍ମାଣ ପାଇଁ ଅନୁଦାନ ଆସି ସହର ନିକଟ ଶାମଗୁଡିଆଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାର ନିର୍ମାଣ ୨୦୧୮ ସୁଦ୍ଧା ସରିବାକୁ ଥିବାବେଳେ ୨୦୨୧ ଡିସେମ୍ବରରେ ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଶିଶୁ ଚିକିତ୍ସା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ସେହିପରି ଗତ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏଠାରେ ଜିଲା ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ଏହି ନୂତନ ୨୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟରେ ଅତ୍ୟାଧୁନିକ ଓପିଡି ୟୁନିଟ୍‌, କାଜୁଆଲିଟି, ଟ୍ରମାକେୟାର ସୁବିଧା ସହ ୫ଟି ଟ୍ରମା ଆଇସିୟୁ, ରେଡିଓଲୋଜି, ଏମ୍‌ଆର୍‌ଆଇ, ସିଟି ସ୍କାନ୍‌, ଉନ୍ନତଧରଣର ଓଟି ବ୍ୟବସ୍ଥା ଅଛି ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଜିଲାବାସୀଙ୍କୁ ସୂଚନା ଦେଇଥିଲେ। ତେବେ ଅଦ୍ୟାବଧି ଏହି ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟକାରୀ ହୋଇପାରିନାହିଁ। ପ୍ରାୟ ବର୍ଷେ ପୂର୍ବରୁ ମାତୃ ଶିଶୁ ଚିକିତ୍ସା କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ଏହା ୪ ଘଣ୍ଟିଆ ଓପିଡିରେ ସୀମିତ ହୋଇଛି। ସେହିପରି ଡିଏଚ୍‌ଏଚ୍‌ ସ୍ଥାନାନ୍ତର ନେଇ ଜିଲାବାସୀ ଏବେ ବି ଅନ୍ଧାରରେ ଅଛନ୍ତି। ବାଣ ବିସ୍ଫୋରଣ ଘଟଣା ଦିନ ଡିଏଚ୍‌ଏଚ୍‌ରେ ଆବଶ୍ୟକ କର୍ମଚାରୀ ନ ଥିଲେ। ଏପରି କି ଏତେବଡ଼ ଦୁର୍ଘଟଣାକୁ ପରିଚାଳନା କରିବାକୁ ପ୍ରଶାସନିକ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ଉପସ୍ଥିତି ବହୁ ବିଳମ୍ବରେ ଦେଖିବାକୁ ମିଳିଥିଲା। ଫଳରେ ଆହତ ଓ ଗୁରୁତରଙ୍କ ଚିକିତ୍ସା ଜିଲା ମୁଖ୍ୟ ଚିକିତ୍ସାଳୟରେ ହୋଇପାରି ନ ଥିଲା। ଏପରି କି ଆମ୍ବୁଲାନ୍ସ ନ ଥିବାରୁ ଘରୋଇ ଓ ଅଗ୍ନିଶମ ବାହିନୀ ଗାଡ଼ିରେ କଟକ ବଡ ମେଡିକାଲକୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ପାଇଁ ସମସ୍ତ ରାଜନୈତିକ ଦଳ ଓ ସାମାଜିକ ଅନୁଷ୍ଠାନ ସହ ବୁଦ୍ଧିଜୀବୀ ସ୍ବର ଉଠାଉଥିବା ବେଳେ ଦୁର୍ଘଟଣା ସମୟରେ ଉପଯୁକ୍ତ ଚିକିତ୍ସା ନ ମିଳିବା ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନକୁ ପରୋକ୍ଷରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ସେମାନେ କହିଛନ୍ତି। ପୂର୍ଣ୍ଣକ୍ଷମ ଭାବେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ଚାଲିବା ଆରମ୍ଭ ପାଇଁ ତୃତୀୟ ଉଦ୍‌ଘାଟନକୁ ଅପେକ୍ଷା ବୋଲି ସେମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି। ସିଡିଏମ୍‌ଓ ଡା. ଅନୀତା ପଟ୍ଟନାୟକଙ୍କୁ ଏ ସମ୍ପର୍କରେ କହିଛନ୍ତି ଯେ, ନୂତନ ଡିଏଚ୍‌ଏଚ୍‌ରେ ଭିତ୍ତିଭୂମି ପ୍ରତିଷ୍ଠାରେ ଅଳ୍ପ କିଛି କାମ ବାକି ରହିଛି। ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ।