ରୋଗୀଙ୍କୁ ମିଳୁନି ଖାଦ୍ୟ, ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା

ଦାରିଙ୍ଗବାଡ଼ି,୭ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ତଃ ବିଭାଗରେ ଚିକିତ୍ସାଧୀନ ରହିଥିବା ରୋଗୀଙ୍କୁ ରୋଷେଇ ଖାଦ୍ୟ ଠିକ୍‌ ସମୟରେ ମିଳୁନାହିଁ। ଗତ ୩ ଦିନ ହେଲା ଚିକିତ୍ସିତ ରୋଗୀଙ୍କୁ କେବଳ ରବିବାର ରାତିରେ ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ଏହା କେତେଜଣ ହାତଗଣତି ରୋଗୀଙ୍କୁ ଦିଆଯାଇଥିଲା ଆଉ ଏକାଧିକ ରୋଗୀଙ୍କୁ ଭୋକିଲା ରହିବାକୁ ପଡ଼ିଥିଲା। ଏ ନେଇ ସୋମବାର ରୋଗୀ ଓ ସମ୍ପର୍କୀୟମାନେ ହଟ୍ଟଗୋଳ କରିଛନ୍ତି। ସୋମବାର ୩ଟା ସମୟ ହୋଇଥିଲେ ସୁଦ୍ଧା ରୋଗୀଙ୍କ ପାଇଁ ଖାଦ୍ୟ ପହଞ୍ଚି ନ ଥିଲା। କେବଳ ପ୍ରସୂତି ମହିଳାଙ୍କୁ ଖାଇବା ପ୍ରଦାନ କରାଯାଇଥିଲା ତାହା ମଧ୍ୟ ବିଳମ୍ବରେ ଦିଆଯାଇଥିଲା ବୋଲି ରୋଗୀମାନେ ଅଭିଯୋଗ କରିଛନ୍ତି। ଏଭଳି ଅବ୍ୟବସ୍ଥାକୁ ନେଇ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଏଥିପାଇଁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ରୋଗୀଙ୍କୁ ତାଙ୍କ ପରିବାର ଲୋକେ ବାହାର ହୋଟେଲରୁ ଖାଦ୍ୟ ଆଣି ସ୍ବାସ୍ଥ୍ୟକେନ୍ଦ୍ରରେ ଖାଇବାକୁ ଦେଇଥିବା ଜଣାପଡ଼ିଛି। ରୋଗୀଙ୍କ ସମ୍ପର୍କୀୟ ପ୍ରଭଞ୍ଜନ ନାୟକ ଅଭିଯୋଗ କରିଛନ୍ତି ଯେ ରୋଗୀଙ୍କୁ ଖାଇବା ମିଳୁନି କି କୌଣସି ସୁବିଧା ଦିଆଯାଉନାହିଁ। ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ସେ କହିଛନ୍ତି। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି, ସେ କୌଣସି କାର୍ଯ୍ୟରେ ବାହାରେ ଅଛନ୍ତି ଏବଂ ଉକ୍ତ ଘଟଣା ସମ୍ପର୍କରେ ପଚାରିବାରୁ କହିଥିଲେ, ଯେଉଁ ରୋଗୀମାନେ ଅନ୍ତଃ ବିଭାଗରେ ଚିକିତ୍ସାଧୀନ ସେମାନଙ୍କୁ ହିଁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଯେଉଁମାନେ ଜରୁରିକାଳୀନ ଚିକିତ୍ସା ହେଉଛନ୍ତି ସେମାନଙ୍କୁ ଶଯ୍ୟା ଯୋଗାଇଦିଆଯିବା ସହ ଚିକିତ୍ସା କରାଯାଉଛି। ସେମାନଙ୍କୁ ଖାଦ୍ୟ ଦିଆଯିବାକୁ ନିୟମ ନ ଥିବା ସେ କହିଛନ୍ତି।