ସାର ଚିନ୍ତାରେ ଡେରାବିଶର ଚାଷୀ

ଡେରାବିଶ,୬।୮(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଞ୍ଚଳରେ ସାରର ଅଭାବ ଦେଖାଦେଇଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି। ଚଳିତ ଖରିଫ ଚାଷ ସମୟରେ ପ୍ରତ୍ୟେକ ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ସରକାରୀ ଧାର୍ଯ୍ୟ ଦରରେ ସାର ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶନାମା ରହିଛି। ମାତ୍ର ଡେରାବିଶ ବ୍ଲକ ଅଧୀନ ୨୬ ପଞ୍ଚାୟତରେ ଥିବା ୧୦ ଗୋଟି ସମବାୟ ସମିତି ଉପରେ ନିର୍ଭର କରୁଥିବା ସମଗ୍ର ଚାଷୀକୁଳ ନିଜ ଚାଷ ଜମି ପାଇଁ ଆବଶ୍ୟକ ଥିବା ସାର ପାଇଁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି। ବର୍ତ୍ତମାନ ଜିଲାରେ ଧାନ ତଳି ରୁଆ ଆରମ୍ଭ ହୋଇଥିବା ବେଳେ ନଳିତା ଓ ପନିପରିବା ଚାଷ ପାଇଁ ଡିଏପି, ପଟାସ ଓ ୟୁରିଆ ସାର ସମବାୟ ସମିତିରେ ନାହିଁ ବୋଲି ସମ୍ପୃକ୍ତ ସମ୍ପାଦକଙ୍କଠାରୁ ଶୁଣିବା ପରେ ଚାଷୀମାନେ ନିରାଶ ହୋଇ ଘରକୁ ଫେରୁଛନ୍ତି। ବ୍ଲକ କୃଷି ବିଭାଗ ସୂଚନା ଅନୁଯାୟୀ, ଡେରାବିଶ ବ୍ଲକ ଅଞ୍ଚଳରେ ସମୁଦାୟ ୧୧ ହଜାର ହେକ୍ଟର ଜଳସେଚିତ ଚାଷ ଜମି ରହିଛି। ଏହି ଚାଷ ଜମି ପାଇଁ ୩ ଶହ ମେଟ୍ରିକ ଟନ୍‌ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ଅନ୍ୟ ସାରର ସେହି ଅନୁପାତରେ ଆବଶ୍ୟକ ରହିଛି। ମାତ୍ର ପଟ୍ଟାମୁଣ୍ଡାଇଠାରେ ଥିବା ମାର୍କଫେଡ ଗୋଦାମରୁ ସମବାୟ ସମିତିଗୁଡିକୁ ଆବଶ୍ୟକ ସାର ଯୋଗାଇ ଦିଆଯାଇ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜିଲା ଚାଷୀ ଶ୍ରମିକ ସଂଘ ସମ୍ପାଦକ କୃତ୍ତିବାସ ଦାସ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ପ୍ରତ୍ୟେକ ସମବାୟ ସମିତିକୁ ସାର ପହଞ୍ଚାଇବା ବ୍ୟବସ୍ଥା ମାର୍କଫେଡର ଥିବା ବେଳେ ପରିବହନ ଖର୍ଚ୍ଚ ସମ୍ପୃକ୍ତ ସମବାୟ ସମିତିର ସମ୍ପାଦକମାନେ ବହନ କରୁଛନ୍ତି। ସରକାରୀ ଧାର୍ଯ୍ୟ ଦର ୟୁରିଆ ୨୬୭, ପଟାସ ୯୭୭, ଡିଏପି ୧୧୭୭ଠାରୁ ଅଧିକ ୨୦ରୁ୩୦ ଟଙ୍କା ବସ୍ତା ପିଛା ପଡୁଥିବା ନେଇ ସମ୍ପାଦକ ନିଜର ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏ ବିଷୟରେ ଜିଲା ସମବାୟ ଉପନିବନ୍ଧକ ମନମୋହନ ରାଉତଙ୍କୁ ପଚାରିବାରେ ଦିନେ ଦୁଇ ଦିନ ମଧ୍ୟରେ ମଧ୍ୟରେ ଇଫ୍‌କୋ ୟୁରିଆ ସାର ସମସ୍ତ ସମବାୟ ସମିତିକୁ ପହଞ୍ଚାଇବା ବ୍ୟବସ୍ଥା କରାଯାଉଛି। ଅପରପକ୍ଷରେ ଅଧିକ ଦାମରେ ସମବାୟ ସମିତିରେ ସାର ବିକ୍ରୟ କରାଯାଉଥିବା ଓ ସମ୍ପାଦକମାନେ ପରିବହନ ଖର୍ଚ୍ଚ ବହନ କରୁଥିବା ନେଇ ପଚାରିବାରୁ ଉପନିବନ୍ଧକ ରାଉତ କୌଣସି ସୂଚନା ଦେଇ ନ ଥିଲେ। ସେହିପରି ସମ୍ପାଦକମାନେ ସାର ପାଇଁ ଆବଶ୍ୟକ ପରିବହନ ଖର୍ଚ୍ଚ କେଉଁ ଜମା ଖାତାରୁ ବ୍ୟୟ କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ରାଉତ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏହି ବିଷୟରେ ବ୍ଲକ କୃଷି ଅଧିକାରୀ ଅନୁରାଧା ପଣ୍ଡାଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ସମବାୟ ସମିତିଗୁଡିକରେ ୟୁରିଆ ଓ ଅନ୍ୟ ସାର ପହଞ୍ଚାଇବା ପାଇଁ ମାର୍କଫେଡକୁ ଯୋଗାଯୋଗ କରାଯାଇଛି। କଳାବଜାର ଭୟ ଥିବାରୁ କୌଣସି ଘରୋଇ ଡିଲରଙ୍କୁ ସାର ଦିଆଯାଇନାହିଁ ବୋଲି ସେ କହିଛନ୍ତି।