ପେଟ ବ୍ୟଥାରୁ ମୁକ୍ତି ପାଇଁ ଚେଙ୍କ

ଆର.ଉଦୟଗିରି,୧୯ା୧୦(ଡି.ଏନ.ଏ.): ଗଜପତି ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ସଚେତନତା ଅଭାବରୁ ଏବେ ବି ଲୋକଙ୍କ ମଧ୍ୟରେ ଅନ୍ଧ ବିଶ୍ୱାସ ଲାଗିରହିଛି। କୌଣସି ରୋଗ ହେଲେ ଲୋକେ ଝଡାଫୁଙ୍କାରେ ବିଶ୍ୱାସ ରଖି ତାନ୍ତ୍ରିକଙ୍କ ପାଖକୁ ଯାଉଛନ୍ତି। ପେଟରେ ଚେଙ୍କ ଦେଇ ଆରୋଗ୍ୟ ଲାଭ କରିବା ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଛନ୍ତି। ଏଭଳି ଏକ ଘଟଣା ମୋହନା ବ୍ଲକ ଗୁଲୁବା ପଞ୍ଚାୟତ ଅଟାଗଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି। କିଛିଦିନ ତଳେ ଅଟାଗଣ୍ଡା ଗ୍ରାମର ଗୁଞ୍ଜିପାଟାଙ୍ଗ ମଳିକଙ୍କ ପେଟ ବ୍ୟଥା ଆରମ୍ଭ ହୋଇଥିଲା। ଚିକିତ୍ସା ପାଇଁ ସେ ସ୍ବାସ୍ଥ୍ୟକେନ୍ଦ୍ରକୁ ନ ଯାଇ ସୁସ୍ଥ ହେବା ସକାଶେ ପେଟରେ ଚେଙ୍କ ଦେଇଛନ୍ତି। ପେଟରେ ଚେଙ୍କ ଦେବା ବହୁ ସ୍ଥାନରେ ଚିହ୍ନ ହେବା ସହିତ ସେ ଯନ୍ତ୍ରଣାରେ କଲବଲ ହେଉଛନ୍ତି। ଏପରି ପେଟ ବ୍ୟଥା ବେଦନାରୁ ଆରୋଗ୍ୟ ପାଇଁ ପ୍ରଶାସନ ପକ୍ଷରୁ ଦୁର୍ଗମ ଆଦିବାସୀ ବହୁଳ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ସଚେତନତା ସୃଷ୍ଟି କରିବା, ଚେଙ୍କ ଏବଂ ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସକୁ ଦୂର କରିବା ସଚେତନତା କାର୍ଯ୍ୟକ୍ରମ ଜରୁରି ହୋଇଛି। ଗୁରୁତର ଥିବା ଗୁଞ୍ଜିପାଟାଙ୍ଗଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ।