ଲଛିପୁର ଥାନା ସୋନପୁର କୋର୍ଟ ଅଧୀନରେ ରହୁ

ସୋନପୁର,୨୪।୧(ନି.ପ୍ର.)ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲା ସଦର ବ୍ଲକ ଲଛିପୁରରେ ଥିବା ଫାଣ୍ଡିକୁ ଉନ୍ନୀତ କରି ଥାନା କରିଛନ୍ତି। ତେବେ ନବଗଠିତ ଏହି ଥାନା ଅଞ୍ଚଳକୁ ସୋନପୁର କୋର୍ଟ ଅଧିନକୁ ଆଣିବା ପାଇଁ ଜିଲାର ବିଭିନ୍ନ ମହଲରେ ଦାବି ହେଉଛି। ସୋନପୁର ବ୍ଳକ ଅନ୍ତର୍ଗତ ଲଛିପୁର ପଞ୍ଚାୟତ ସଦର ମହକୁମା ସମେତ ଥାନା ଅଞ୍ଚଳରେ ଥିବା ରେଙ୍ଗାଲି, ଛକୋରମାଲ ଓ ଖଲିଆପାଲି ପଞ୍ଚାୟତ ସୋନପୁର ସଦର ବ୍ଲକ ଅଧିନରେ ରହିଛି। ଅଙ୍ଗନଦୀ ଅପରପାର୍ଶ୍ୱରେ ଏହି ଥାନା ଅଧିନରେ ଥିବା ମହଦା, ଜୁଲୁଣ୍ଡା ଓ କୁଇବାହାଲ ପଞ୍ଚାୟତ ବିନିକା ବ୍ଲକ ଅଧିନରେ ଅଛି। କିନ୍ତୁ ଏହି ଅଞ୍ଚଳବାସୀ ସୋନପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଅଧିନରେ ରହିଥିବା ବେଳେ ବର୍ତ୍ତମାନ ଥାନା ଅଞ୍ଚଳରେ ଥିବା ଏହି ସବୁ ପଞ୍ଚାୟତର ଜନସାଧାରଣ ଜିଲା ସଦର ମହକୁମା କାର୍ଯ୍ୟାଳୟ ଉପରେ ନିର୍ଭରଶୀଳ। ଲଛିପୁର, ରେଙ୍ଗାଲି, ଖଲିଆପାଲି ଓ ଛକୋରମାଲ ଆଦି ପଞ୍ଚାୟତଗୁଡିକ ସୋନପୁର ସଦର ବ୍ଲକ ଅଧିନରେ ଓ ତହସିଲ କାର୍ଯ୍ୟାଳୟ ମଧ୍ୟ ଜିଲା ସଦର ମହକୁମା ତହସିଲ ଅଧିନରେ ରହିଛି। ଫଳରେ ଏମାନେ ଉପଜିଲାପାଳ ତଥା ଜିଲାପାଳଙ୍କ କାର୍ଯ୍ୟାଳୟ ଉପରେ ନିର୍ଭରଶୀଳ ଥିବାରୁ ଏହି ଅଞ୍ଚଳରୁ ପ୍ରତ୍ୟହ ଶତାଧିକ ଜନସାଧାରଣ ଜିଲା ସଦର ମହକୁମାକୁ ଆସିଥାନ୍ତି। ମାତ୍ର ଲଛିପୁର ଥାନା ହେବା ପରେ ଏମାନେ କେବଳ ଆଇନ ଅଦାଲତ କାର୍ଯ୍ୟରେ ପୂର୍ବଭଳି ରାମପୁର ଅଦାଲତ ଉପରେ ନିର୍ଭର କରିବେ। ଲଛିପୁରରୁ ଜିଲା ସଦର ମହକୁମାକୁ ଖଲିଆପାଲି-ଲୁପୁରସିଂହା ଦେଇ ଏକ ଓସାରିଆ ରାସ୍ତା ରହିଥିବା ବେଳେ ଅନ୍ୟ ଏକ ରାସ୍ତା ସୋନପୁରରୁ ବିଶିମୁଣ୍ଡା-କେନ୍ଦୁମୁଣ୍ଡା-ତିଲେଇମାଳ ଦେଇ ରହିଛି। କିନ୍ତୁ କୌଣସି କୋର୍ଟ କାର୍ଯ୍ୟରେ ଏହି ଅଞ୍ଚଳର ଜନସାଧାରଣଙ୍କୁ ପୂର୍ବ ଭଳି ଗଜବନ୍ଧ-ବଡକର୍ଲେ-ପଣ୍ଡକିଟାଲ ଦେଇ ରାମପୁରକୁ ଯିବାକୁ ପଡିବ। କେବଳ କୋର୍ଟ କାର୍ଯ୍ୟରେ ଏହି ଅଞ୍ଚଳର ଜନସାଧାରଣ ରାମପୁର ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିବା ବେଳେ ଅନ୍ୟ ସମସ୍ତ କାର୍ଯ୍ୟରେ ସୋନପୁର ଉପରେ ନିର୍ଭରଶୀଳ। ଆହୁରି ଆଶ୍ଚର୍ଯ୍ୟର ବିଷୟ ହେଲା ରାମପୁର କୋର୍ଟରେ କୌଣସି ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର ନ ହେଲେ ତାଙ୍କୁ ପୁଣି ସୋନପୁର ସବ୍‌ଜେଲକୁ ଅଣାଯାଇଥାଏ। ତେଣୁ ଅଞ୍ଚଳର ଜନସାଧାରଣ ତଥା ମହକିଲମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲଛିପୁର ଥାନା ଅଞ୍ଚଳକୁ ସୋନପୁର କୋର୍ଟ ଅଧିନକୁ ଆଣିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।