୨୦ ହଜାର ଟଙ୍କା ଲାଞ୍ଚ ନେଇ ଜେଲ ଗଲେ ଶ୍ରମ ଅଧିକାରୀ

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ଜିଲା ଶ୍ରମ ଅଧିକାରୀ ଆକାଶ ଭିଜିଲାନ୍ସ ହାତରେ ଧରାପଡିବା ପରେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଜିଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସୁସ୍ଥ ହେବା ପରେ ତାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଥିଲା।

ସୂଚନା ଯୋଗ୍ୟ, ଜିଲା ଶ୍ରମ ଅଧିକାରୀ, ଆକାଶ ଶ୍ରମିକ ଲାଇସେନ୍ସ ପ୍ରଦାନ କରିବା ପାଇଁ ୨୦,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏପରିକି ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା। ଚଢାଉ ବେଳେ କେନ୍ଦୁଝରରେ ଥିବା ତାଙ୍କ ସରକାରୀ ଆବାସିକ କ୍ୱାର୍ଟରରୁ ନଗଦ ୭,୨୯,୨୦୦ ଟଙ୍କା ଜବତ କରାଯାଇଥିଲା। ଏହା ସହିତ ୩୦୦ ଗ୍ରାମ ସୁନା ଅଳଙ୍କାର ଜବତ କରି ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।

Share