Posted inଫୁରସତ

ଶ୍ରମ ହିଁ ସାହାରା

ତାଙ୍କ ପାଖରେ ନାହିଁ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ବା କୌଣସି ଚାକିରି। କିନ୍ତୁ ପରିବାର ପ୍ରତିପୋଷଣ ପାଇଁ ଏମାନେ ଅଣ୍ଟା ଭିଡ଼ିଛନ୍ତି। ଘରର ପୁରୁଷମାନେ ଯେ କେବଳ ଘରର ଦାୟିତ୍ୱ ନେବେ ସେ କଥାକୁ ବି ଭୁଲ ପ୍ରମାଣିତ କରିଛନ୍ତି। ଶ୍ରମକୁ ସାହାରା କରି ଜୀବନ ଜିଇଁବା ସହ ନିଜ ପାଇଁ ଏକ ପରିଚୟ ସୃଷ୍ଟି କରିଥିବା ନାରୀମାନଙ୍କ କଥା…
ଭାରତୀଙ୍କ ସଂସାର -ଗଞ୍ଜାମ ଜିଲା ରମ୍ଭା ଅଞ୍ଚଳର ଭାରତୀ ନାୟକ। ବୟସ ପ୍ରାୟ ୪୭ ବର୍ଷ। ଶାଶୁଘର ଖୋର୍ଦ୍ଧାଜିଲାର ଚିଲିକା ବଉଳାବନ୍ଧରେ। ସେ କୁହନ୍ତି, ‘ମୋ ବିବାହର ୧୫ବର୍ଷ ପରେ ସ୍ବାମୀଙ୍କ ଅକାଳ ବିୟୋଗ ଘଟିଲା। ସେତେବେଳକୁ ମୋର ୩ଟି ସନ୍ତାନ ଛୋଟ ହୋଇଥିଲେ। ପିଲାଙ୍କୁ କିପରି ପାଳିବି ସେଥିପାଇଁ ଚିନ୍ତିତ ହୋଇପଡ଼ିଲି। ଏପଟେ ଶ୍ୱଶୁର ଘରର ସେମିତି କିଛି ସମ୍ପତ୍ତିବାଡ଼ି ନ ଥିଲା । ଏଥିଯୋଗୁ ଚଳିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଅନେକ ସମୟରେ ଭୋକ ଉପାସରେ ରହିବାକୁ ପଡୁଥିଲା। ଏତେ ଅଭାବରେ ବଞ୍ଚତ୍ ରହିବା ଅପେକ୍ଷା ଦିନେ ଜୀବନ ହାରି ଦେବା ପାଇଁ ବି ମନସ୍ଥ କରିଥିଲି। ମାତ୍ର ପିଲାମାନଙ୍କ କଥା ମନେପଡ଼ିଲା, ସେମାନଙ୍କ ମୁହଁ ଆଖିରେ ନାଚିଉଠିଲା। ଶେଷରେ ନିଷ୍ପତ୍ତି ନେଲି ପିଲାମାନଙ୍କ ପାଇଁ ମତେ ବଞ୍ଚତ୍ବାକୁ ହେବ। ଯେତେ କଷ୍ଟ ହେଉପଛେ ମୁଁ ସେମାନଙ୍କ ଭବିଷ୍ୟତ ଗଢିବି। ଏହି ଚିନ୍ତାରେ ବିଭିନ୍ନ କାମ କରିବା ପାଇଁ ଯୋଜନା କଲି। ଏହି ସମୟରେ ଦେଖିଲି ଆମ ଅଞ୍ଚଳର କେତେଜଣ ମହିଳା ଓ ପୁରୁଷ ବିଭିନ୍ନ କାମଧନ୍ଦା ଅନ୍ବେଷଣରେ ଜଟଣୀକୁ ଯାଉଛନ୍ତି। ସେମାନଙ୍କ ସହିତ ଯିବା ପାଇଁ ଦିନେ ବଡ଼ିଭୋରରୁ ବାହାରି ପଡ଼ିଲି। ଏଥିପାଇଁ ପଡ଼ୋଶୀଘରେ ପିଲାଙ୍କୁ ଛାଡ଼ିଦେଇଥିଲି। କିନ୍ତୁ ସେଦିନ ଘରୁ ଯିବାବେଳେ ବହୁତ କାନ୍ଦିଥିଲି। ଯେତେବେଳେ ଶ୍ରମିକଭାବେ ବାଲିସିମେଣ୍ଟ ଗୋଳେଇବାକୁ କହିଲେ ସେସବୁ କିପରି ହେବ ଜାଣି ନ ଥିବାରୁ ମନ କଷ୍ଟ ହେବା ସହ ଭୟ ବି ଲାଗୁଥିଲା। ସେଠାରେ କାମ କରୁଥିବା ଅନ୍ୟ ମିସ୍ତ୍ରିଙ୍କଠାରୁ ବାଲି ସିମେଣ୍ଟ କେମିତି ଗୋଳାଯାଏ ପଚାରି ଶିଖିଲି। ଏହି କାମ ଯେତେ କଷ୍ଟ ହେଲେ ବି ମନରେ ଦୃଢ଼ତା ରଖି ସେଦିନ କରିଥିଲି। ସନ୍ଧ୍ୟା ବେଳକୁ ୨୫୦ଟଙ୍କା ମଜୁରି ମିଳିଲା । ପରିଶ୍ରମର ଟଙ୍କା ଦେଖି ବହୁତ ଖୁସି ହୋଇପଡ଼ିଲି, ଆଉ ସେବେଠାରୁ ପ୍ରତିଦିନ ଟ୍ରେନ୍‌ରେ ଜଟଣୀକୁ ଆସିଥାଏ। ବିଭିନ୍ନ ସ୍ଥାନରେ ଚାଲିଥିବା ନିର୍ମାଣାଧୀନ ରାସ୍ତା, ଡ୍ରେନ୍‌, କୋଠାବାଡ଼ି ଓ ଟାଇଲ୍‌ ବସାଇବା ଆଦି କାମ କରିଥାଏ। ଯାହା କିଛି ରୋଜଗାର ହୁଏ, ସେଥିରୁ ଯିବା ଆସିବା ଖର୍ଚ୍ଚ ଓ ଘରର ଖର୍ଚ୍ଚ ବାଦ୍‌ ବାକି କିଛି ଟଙ୍କା ପିଲାଙ୍କ ପାଇଁ ସଞ୍ଚୟ କରିଥାଏ। ଏମିତିରେ ପ୍ରାୟ ୧୧ବର୍ଷ ବିତି ସାରିଲାଣି। ମୋ ସହିତ ଆଉ ୬ଜଣ ମହିଳା ଶ୍ରମିକ ମୋ ଜରିଆରେ କାମ କରିଥାନ୍ତି। ମାଲିକଙ୍କଠାରୁ ପାରିଶ୍ରମିକ ଟଙ୍କା ଆଣି ସାଥିରେ ଯାଇଥିବା ଅନ୍ୟ ମହିଳା ଶ୍ରମିକଙ୍କୁ ପ୍ରଦାନ କରିଥାଏ। ଯେଉଁଠି କୋଠା ନିର୍ମାଣକାର୍ଯ୍ୟ ଲଗାତରଭାବେ ଚାଲୁରହିଥାଏ ସେଠାରେ ଘରଭଡ଼ା ନେଇ ଟାଇଲ ମିସ୍ତ୍ରିକାମ କରିଥାଏ। ପ୍ରତିଦିନ ବାଲିସିମେଣ୍ଟ କାମକଲେ ୫ଶହ ଟଙ୍କା ମିଳେ। ଆଉ ଟାଇଲ କାମରେ ଠିକାନେଇ ଦିନକୁ ହଜାରେ କିମ୍ବା ୨ହଜାର ଟଙ୍କା ଭାଗ ପଡ଼େ। ଏବେ ଗାଁରେ ମୋର ଦୁଇପୁଅ ରହୁଛନ୍ତି। ଝିଅର ବାହାଘର ୨ବର୍ଷ ହେବ ସାରିଛି। ଦେହ ଅସୁସ୍ଥ ଥିଲେ ବି ବଞ୍ଚତ୍ବା ପାଇଁ ଅନେକ ସମୟରେ ପରିଶ୍ରମ କରିଛି। ଶ୍ରମିକ କାର୍ଡଥିଲେ ବି ଏଯାଏ ସେମିତି କିଛି ସୁବିଧା ମିଳିନି।

ଅନିତାଙ୍କ କାନ୍ଧରେ ଦୁତ୍ଃଖର ଭାର: ଗରିବ ଅସହାୟ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ସରକାର ବାହାବା ନେଉଛନ୍ତି। ହେଲେ ଅନିତାଙ୍କ ପରିବାରକୁ ସରକାରୀ ସହାୟତା ସାତସପନ। ଗଞ୍ଜାମ ଜିଲା ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ୫ ନମ୍ବର ୱାର୍ଡର ବାଲିଘାଇ ଗ୍ରାମରେ ବସବାସ କରନ୍ତି ମଦନ ଗୌଡଙ୍କ ପରିବାର। ମଜୁରିଆ ଭାବେ କାମ କରି ସେ ଚଳଉ ଥିଲେ ୭ ପ୍ରାଣୀ କୁଟୁମ୍ବ। ହେଲେ ଏବେ କାମ କରିବାକୁ ସକ୍ଷମ ନାହାନ୍ତି ମଦନ। ପ୍ରାୟ ୭ ବର୍ଷ ହେଲା ମଦନ ଓ ତାଙ୍କ ସ୍ତ୍ରୀ ଝୁନୁ ଗୌଡ ଉଭୟ ପକ୍ଷାଘାତ ରୋଗରେ ପୀଡ଼ିତ। ଏଣେ ସାନ ଝିଅ କୁନି ଦୃଷ୍ଟିବାଧିତା। ଘରେ କେହି ରୋଜଗାର କରିବାକୁ ନ ଥିବା ଯୋଗୁ ବଡ଼ଝିଅ ଅନିତାଙ୍କ ଉପରେ ପଡିଲା ପରିବାରର ବୋଝ। ତେଣୁ ସେ ରୋଜଗାର ପାଇଁ ଘରୁ ଗୋଡ କାଢିଲେ। କଲେ ଦିନମଜୁରିଆ କାମ। ଆଉ ଯାହା ରୋଜଗାର ହେଲା ସେତିକିରେ ଚଳୁଛି ତାଙ୍କ ପରିବାର। ଏମିତିରେ ଓଳିଏ ଖାଇଲେ ଆର ଓଳି ଭୋକ ଉପାସରେ ବିତେ ତାଙ୍କ ଜୀବନ। ଯାହା କିଛି ଘରର ଧନସମ୍ପତ୍ତି ଥିଲା ତାକୁ ବିକିି ଚିକିତ୍ସା କରାଇଲେ। ହେଲେ ଏବେ ସବୁକିଛି ସରିଯାଇଥିବାରୁ ଆଉ ଚିକିତ୍ସା କରି ପାରୁନାହାନ୍ତି। ଅନ୍ୟ ପଟେ ଏହି ଅସହାୟ ଗରିବ ପରିବାରକୁ ମିଳିପାରି ନାହିଁ ବିଜୁ ସ୍ବାସ୍ଥ୍ୟ କାର୍ଡ ଖଣ୍ଡେ। ଏଥିପାଇଁ ସେ ପ୍ରତିଦିନ ନିକଟସ୍ଥ ଆଖପାଖ ଗାଁରେ ବିଭିନ୍ନ ନିର୍ମାଣାଧୀନ କାମରେ ଯୋଗ ଦେଇ ଦିନକୁ କେବେ ୨୫୦ଟଙ୍କା ତ ପୁଣି କେଉଁଦିନ ୩ଶହ ଟଙ୍କା ରୋଜଗାର କରୁଛନ୍ତି। ଯାହାକିଛି ରୋଜଗାର କରନ୍ତି ସେଥିରେ ରୋଗଣା ବାପା ମା’ ଓ ଭଉଣୀ ତୁଣ୍ଡରେ ଖାଦ୍ୟ ଦେଇଥାନ୍ତି। ଅଭାବ ଅନଟନରେ ଏହି ପରିବାର କାଳାତିପାତ କରୁଛନ୍ତି ।
ବଞ୍ଚିଥିବା ଯାଏ ଖଟିଚାଲିଥିବି -ପାହାନ୍ତା ପ୍ରହରରୁ ରୋଷେଇ କାମ ସାରି ସ୍ବାମୀ ଓ ଦୁଇ ପିଲାଙ୍କ ପାଇଁ ଖାଇବା ବ୍ୟବସ୍ଥା କରିଦେଇଥାଏ। ତା’ ପରେ ମୋ କାମରେ ବଡ଼ିଭୋରରୁ ବାହାରିପଡ଼େ । କାମ ସାରି ଘରେ ପହଞ୍ଚିଲାବେଳକୁ କେଉଁ ଦିନ ରାତି ୮ଟା ତ କେତେବେଳେ ୯ଟା ବାଜେ, ବେଳେବେଳେ ରାତି ୧୦ଟା ବି ହୋଇଯାଏ। ଏପରି ଚାଲିଛି ୧୦ବର୍ଷ ହେବ। କାମକୁ ଯାଉଛି ବୋଲି ଚାରିପ୍ରାଣୀ ଚଳୁଛୁ।
କିଛି କୁହନ୍ତି ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ସାନନଇରୀ ଗ୍ରାମର ସଖୀ ବେହେରା। ସେ କୁହନ୍ତି, ‘ଆମେ ଗରିବ ଲୋକ ଆଜ୍ଞା, ଖଟିଲେ ଖାଇବୁ ନ ହେଲେ ଉପବାସ। ଦିନଥିଲା ମୋ ସ୍ବାମୀ ଚିଲିକାକୁ ଯାଉଥିଲେ। ଏବେ ସେ ଅସୁସ୍ଥ, ପୁଣି ଚିଲିକାର ପରିସ୍ଥିିତି ଭଲ ନାହିଁ। ସକାଳ ହେଲେ ପେଟର ଚିନ୍ତା। ୪ଜଣ ବଞ୍ଚିବୁ କେମିତି। ଗାଁର ଅନ୍ୟମାନଙ୍କଠାରୁ ବାଲିସିମେଣ୍ଟ କାମ ଶିଖିଲି ।
ଶ୍ରମିକ ଭାବେ ଖଟିଲେ ଦିନକୁ ୫ଶହ ଟଙ୍କା ମିଳୁଛି। ସେଥିରେ ଘର ଚଳୁଛି। ଦିନରାତି ଯିବା ଆସିବା ସହିତ ବାଲିସିମେଣ୍ଟ କାମରେ ଖଟିବାରେ କେତେବେଳେ ସମୟ ବିତୁଛି ଜଣାପଡ଼ୁନି। ଏଯାଏ ଶ୍ରମିକ କାର୍ଡଟିଏ ପାଇନି କି ମୋର ରାଶନ କାର୍ଡ ହୋଇପାରିନାହିଁ। ଗାଁରେ କେତେଜଣଙ୍କୁ କେତେ ଗୁହାରି କରିଛି । ହେଲେ କେହି ଏଯାଏ ଏହି କାର୍ଡ କରେଇ ଦେଉନାହାନ୍ତି। ବଞ୍ଚିଥିଲା ଯାଏ ଖଟୁଥିବି, କାରଣ ମୋ ଉପରେ ପରିବାରର ୩ଜଣ ନିର୍ଭରଶୀଳ ! ସେମାନଙ୍କ କଥା ବୁଝିବ କିଏ?
ରାଜମିସ୍ତ୍ରି କାମ କରି ପରିବାର ଚଳାନ୍ତି ମମତା:ଅନେକ ସମୟରେ ଆମେ ଦେଖୁ ଝିଅମାନେ ବାଲ୍ୟ ବିବାହ କରିବା ନଚେତ କେଉଁ ପୁଅକୁ ନିଜେ ପସନ୍ଦ କରି ବିବାହ କରନ୍ତି । କିନ୍ତୁ ଏମିତି ବି ଝିଅ ଅଛନ୍ତି ଯେଉଁମାନେ କି ପରିବାର ପାଇଁ ନିଜର ସୁଖ ସ୍ବାର୍ଥକୁ ତ୍ୟାଗ କରିଥାନ୍ତି । ଯେଉଁଠି ପୁଅ ମା’ ବାପାଙ୍କର ହାତ ଛାଡି ଦେଇ ଦୂରେଇଯାଏ। ଏମିତି ପରିସ୍ଥିତିରେ ଝିଅ ସେଠି ମା’ ପାଇଁ, ଘର ପାଇଁ ବିବାହ କରିବାକୁ ମନା କରିଛନ୍ତି। ଏମିତି ଜଣେ ଝିଅ ସେ ଟ୍ରାକ୍ଟର ଚଳାଇ ପାରନ୍ତି, ଓଟ ଓ ଘୋଡ଼ାଉପରେ ବସିପାରନ୍ତି। ପୁଣି ଘର ପାଇଁ ରାଜମିସ୍ତ୍ରି କାମ କରି ପରିବାର ମୁହଁରେ ହସ ଫୁଟାଇଥାନ୍ତି। ସେ ହେଲେ ରାୟଗଡ଼ା ଜିଲା ରାୟଗଡା ବ୍ଲକର ପିତାମହଲ ଗ୍ରାମର ପାଇକ ସାହିର ମମତା ନାୟକ( ୩୦) l ସେ
ମା’ ଗର୍ଭରେ ଥିବାବେଳେ ତାଙ୍କର ବାପା ଚାଲିଗଲେ ଆରପାରିକୁ। ପରିବାର କହିଲେ ବିଧବା ମା’ ୩ ଭଉଣୀ, ଗୋଟିଏ ଭାଇ। ହେଲେ ସମୟକ୍ରମେ ୩ ଭଉଣୀ ଙ୍କ ବିବାହ ସରିଲା। ଭାଇ ମଧ୍ୟ ବିବାହ କରି ବାପା ମାଠାରୁ ଦୂରେଇଗଲେ। ମମତାଙ୍କ ଭାଇ ଭଉଣୀ ନିଜ ନିଜ ପରିବାରକୁ ଧରି ଅନ୍ୟ ଘରେ ରହୁଥିବାବେଳେ ଦୀର୍ଘ ୧୧ବର୍ଷ ବୟସରୁ ମମତା ଶ୍ରମିକ ଭାବେ ବିଭିନ୍ନ କାମ କରି ଘର ଚଳାନ୍ତି । ଘରର ସବୁ ଖର୍ଚ୍ଚ ବହନ କରନ୍ତି । ସରକାରଙ୍କ ତରଫରୁ ଦିଆଯାଇଥିବା ଇନ୍ଦିରା ଆବାସରେ ମମତା ଓ ତାର ମା’ ରହୁଛନ୍ତି । ହେଲେ ଇନ୍ଦିରା ଆବାସ ବହୁ ପୁରୁଣା ହୋଇଯାଇ ଥିବାରୁ ଭାଙ୍ଗି ଯିବା ପରେ ନିଜେ ସଞ୍ଚିତ ରଖିଥିବା ଟଙ୍କାରେ ନିଜେ ନିଜ ସାଙ୍ଗମାନଙ୍କ ସହ ମିଶି ଘରର ଟିଣ ଇଟା ଯୋଡି କାନ୍ଥ କରି ରହୁଛନ୍ତି l ଏପରି ମିସ୍ତ୍ରି କାମ କରିବା ଦ୍ୱାରା ଅନେକ ସମୟରେ ଲୋକେ ମମତାଙ୍କୁ ନେଇ ନାନା ଥଟ୍ଟା ପରିହାସ କରିଥାନ୍ତି । ଝିଅ ହୋଇ ମିସ୍ତ୍ରିକାମ କ’ଣ କରିବ ବୋଲି କୁହନ୍ତି । କିନ୍ତୁ ସେ କୁହନ୍ତି ବଞ୍ଚିବା ପାଇଁ ପରିଶ୍ରମ କରୁଛି। ଏଥିରେ ପରିବାର ଚଳୁଛି। କିନ୍ତୁ ପିଲାଟି ଦିନରୁ ପାଠ ପଢିବାକୁ ଅନେକ ଇଚ୍ଛା ଥିଲା, ହେଲେ ଖାଇବାକୁ, ପିନ୍ଧିବାକୁ ଟଙ୍କା ନଥିଲା, ବାଧ୍ୟ ହୋଇ ସେ ୧୧ ବର୍ଷ ବୟସରୁ ଦିନମଜୁରିଆ ଭାବେ କାମକରି ଦିନକୁ ପ୍ରଥମେ ୨୦ ଟଙ୍କା ମଜୁରି ପାଇଲି । ସକାଳ ୮ ଟାରୁ କାମକୁ ଯାଇ ଦିନ ୧ଟାରେ ମଧ୍ୟାହ୍ନ ସମୟରେ ଖାଇବା ପାଇଁ ରେଷ୍ଟ ନେବା ପରେ ପୁଣି ୨ ଟାରୁ ୫ ଟା ୩୦ରେ କାମ ସାରି ଘରକୁ ଆସେ । ଘର ଏବଂ ମା’ଙ୍କର ଦାୟିତ୍ୱ ମୋ ଉପରେ। କେହି ମା’ଙ୍କ କଥା ବୁଝନ୍ତି ନାହିଁ । ମା’ଙ୍କର ସ୍ବାସ୍ଥ୍ୟ ଭଲ ନାହିଁ । ମଧୁମେହ ରୋଗରେ ପୀଡ଼ିତ । ତେଣୁ ତାଙ୍କ ମେଡ଼ିସିନ ଏବଂ ଘର ଖର୍ଚ୍ଚ ମୋ ଉପରେ ପଡୁଛି । ମା’ବାପା ପିଲାବେଳୁ ଆମକୁ ବଡ଼ କରିଛନ୍ତି। ଆମର କର୍ତ୍ତବ୍ୟ ଆମେ ବୃଦ୍ଧା ଅବସ୍ଥାରେ କିପରି ଛାଡିବା ବୋଲି କହିଛନ୍ତି । ଏଥିପାଇଁ ବିବାହ ମଧ୍ୟ କରିବେ ନାହିଁ ବୋଲି ମନସ୍ଥ କରିଛି । ନିଜର ଶ୍ରମ ଦାନ କରି ମଜୁରି ଲାଗି ଘରକୁ ଚଳାଇଉଛି। ସକାଳ ୫ଟାରୁ ଉଠି ନିଜ ଘରର ରୋଷେଇ କାମ ସାରିବା ପରେ କାମରେ ବାହାରିଯାଏ। ଅନେକ ଜାଗାରେ ମଜୁରି କାମ କରି କରି ମିସ୍ତ୍ରିମାନେ କରୁଥିବା କାମକୁ ଭଲ ଭାବେ ଅନୁଧ୍ୟାନ କରି ଦେଖେ। ଏପରି ଇଚ୍ଛା ଶକ୍ତି ଥିଲା, ଆଗ୍ରହ ଥିଲା। ତେଣୁ ଦେଖି ଦେଖି ଶିଖିଛିି। ମଜୁରି ହେଲ୍ପର ଭାବେ ଯେଉଁଠି ପୁଅମାନଙ୍କୁ ୬୦୦ଟଙ୍କା ଦିଅନ୍ତି ସେଠି ମତେ ୩୦୦ଟଙ୍କା ଦିଅନ୍ତି l କେତେକ ଜାଗାରେ ମିସ୍ତ୍ରି ଭାବେ କାମ ପାଇଁ ମଧ୍ୟ ଡାକନ୍ତି କିନ୍ତୁ ପୁଅମାନଙ୍କୁ ଯାହା ବି ଦିଅନ୍ତି ତା’ର ଅଧା ହିଁ ଝିଅଙ୍କୁ ମିଳେ। ମୋତେ ବି ସେହିପରି ଟଙ୍କା ମିଳିଛୁ। ଟ୍ରାକ୍ଟରରେ ବାଲି ଲୋଡ଼ କରିବା କାମ, ଇଟା ଯୋଡ଼ି କାନ୍ଥ ବନେଇବା କାମ, କଂକ୍ରିଟ, ପିଲର, ଘର କାମ, ଛାତ ପକେଇବା, ସରକାରଙ୍କ ଏମଜିଏନଆରଇଜିଏର ଡଷ୍ଟବିନକୁଣ୍ଡ ବନାଇବା ସହ ରାସ୍ତା କାମ କରେ। କିନ୍ତୁ ଆଜି ସୁଦ୍ଧା କେତେକ କାମରେ ବିଲ୍‌ ହୋଇନି ଅସୁବିଧାରେ ଚଳୁଛି। ଲେବର କାର୍ଡ ଥିଲେ ସୁଦ୍ଧା କୌଣସି ସାହାଯ୍ୟ ପାଉଇପାରୁନାହିଁ। ନିଜ ଅଞ୍ଚଳରେ ଏଚ୍‌ପି ଗ୍ୟାସ କମ୍ପାନୀ ପ୍ରତିଷ୍ଠିତ କରାଗଲା। ଦିନରାତି ସେଠାରେ କାମ କଲୁ । ସେଥିରେ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇମଧ୍ୟ କିଛି ରଖିଲେ ନାହିଁ। ବେଳେବେଳେ ଦେହ ଅସୁସ୍ଥ ରହିଲେ ବି ବାଧ୍ୟହୋଇ ମିସ୍ତ୍ରି କାମ କରୁଛି l
ମୋର, ଆଉ ୧୫ ପରିବାର ଚଳୁଛୁ: କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ଅଞ୍ଚଳର ଦମୟନ୍ତୀ ମଣ୍ଡଳ। ବୟସ ପ୍ରାୟ ୪୨ ଡେଇଁଲାଣି । ଏବେ ସେ ଜଣେ କୁଶଳୀ ରାଜମିସ୍ତ୍ରି ଭାବେ ଏହି ଅଞ୍ଚଳରେ ବେଶ୍‌ ଜଣାଶୁଣା। ସେ କୁହନ୍ତି ଆଜକୁ ପ୍ରାୟ ୧୮ବର୍ଷ ତଳେ ମୋ ସ୍ବାମୀଙ୍କ ଦେହାନ୍ତ ଘଟିଲା। କିନ୍ତୁ ଘରେ ଦୁଇଝିଅ ଓ ଗୋଟିଏ ପୁଅକୁ କିପରି ପୋଷିବି ଚିନ୍ତାରେ ପଡ଼ିଲି। ଏମାନଙ୍କ ମୁହଁରେ ଦାନାପାଣି ଦେବା ପାଇଁ ପ୍ରଥମେ କିଛି ପରିଶ୍ରମକରି ଦିନକୁ ମାତ୍ର ୨୦ଟଙ୍କା ରୋଜଗାର କଲି। ଏତିକିରେ ଚଳିବା ଭାରି କଷ୍ଟ ହୋଇପଡିଲା। ମାତ୍ର ବଞ୍ଚିବା ପାଇଁ ଦିନେ ପାରାଦୀପସ୍ଥିତ ବୃହତ୍‌ ସାରକାରଖାନାଠାରେ ଜଣେ ରାଜମିସ୍ତ୍ରିଙ୍କ ପାଖରେ ପହଞ୍ଚତ୍ କିଛିଦିନ ହେଲ୍ପର କାମ ଶିଖିଲି । ଏଥିପାଇଁ ବହୁ ଟାହିଟାପରା ଶୁଣିଲି। କିନ୍ତୁ ସେସବୁକୁ ଖାତିର ନ କରି ସମୟକ୍ରମେ ନିଜେ ଜଣେ ରାଜମିସ୍ତ୍ରି ପାଲଟିଗଲି। ଏବେ ମୋ ସହିତ ୪ଜଣ ରାଜମିସ୍ତ୍ରି ଓ ୧୦ଜଣ ହେଲ୍ପର ରହୁଛନ୍ତିି। ସେମାନଙ୍କୁ ଗୃହ ନିର୍ମାଣକାମ ଯୋଗାଉଛି। ସେମାନେ ରୋଜଗାର କରି ପରିବାର ଚଳାଉଛନ୍ତି। ମୋର ମଧ୍ୟ ରୋଜଗାର ହେଉଛି । ଏଥିରେ ମା ’ଓ ମୋ ପିଲାମାନେ ମିଶି ପ୍ରାୟ ୫ଜଣ ସଦସ୍ୟ ଚଳୁଛୁ।ତେବେ ଏମାନଙ୍କ ବ୍ୟତିତ୍‌ ଅନେକ ମହିଳା ଅଛନ୍ତି ଯେଉଁମାନେ କି ନିଜ ପରିବାର ସହିତ ଅନ୍ୟମାନଙ୍କୁ ରୋଜଗାରର ବାଟ ଦେଖାଇଥାନ୍ତି।

ବନବିହାରୀ ବେହେରା, ଭାଗ୍ୟଶ୍ରୀ ମିଶ୍ର, ସୁବ୍ରତ ବେହେରା, ପ୍ରତାପଚନ୍ଦ୍ର ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ହଠାତ ଲାଲ ହେଲା ଭେନେଜୁଏଲାର ଆକାଶ, Video ଦେଖି ଚମକି ପଡ଼ିଲେ ଭୂକମ୍ପରୁ ଉଠିଥିବା ଲୋକେ

କାରାକାସ୍‌,୨।୭: ଭେନେଜୁଏଲାର ରାଜଧାନୀ କାରାକାସରେ ସମ୍ପ୍ରତି ଦେଖାଯାଇଥିବା ଏକ ଦୃଶ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂମିକମ୍ପର ଧ୍ୱଂସଲୀଳାରେ ପୂର୍ବରୁ ସ୍ତବ୍ଧ ଥିବା ସହର ଉପରର ସମଗ୍ର ଆକାଶ…

ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର? ଉପନିର୍ବାଚନ ଘୋଷଣା ପରେ ଜୋର ଧରିଛି ଚର୍ଚ୍ଚା

ପାଟନା,୨।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି…

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

ଇସ୍ରୋ ମୁଖ୍ୟାଳୟ ଉଡାଇ ଦେବାକୁ ଆସିଲା ଧମକ: ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ,୨।୭: ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ…

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri