ଦେବଗଡ,୨୮ା୬(ଶଶାଙ୍କ ଶେଖର ଝାଙ୍କର): ଚେନ୍ନାଇରୁ ଘରକୁ ଫେରୁଥିବା ସମୟରେ ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳର ପୁରମୁଣ୍ଡା ଗ୍ରାମର ଜଣେ ଶ୍ରମିକ ନିଖୋଜ ହୋଇଯାଇଥିବା ଜଣାପଡିଛି । ଏନେଇ ନିଖୋଜ ଶ୍ରମିକଙ୍କ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଚଳାଇଛି ।
ଅଭିଯୋଗ ଅନୁଯାୟୀ ରିଆମାଳ ଥାନାଂଚଳ ପୁରମୁଣ୍ଡା ଗ୍ରାମର ବନ୍ଧୁ ପାତ୍ର ସୁଦୂର ଚେନ୍ନାଇରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ୨୦ ତାରିଖ ଦିନ ଚେନ୍ନାଇରୁ ଘରକୁ ଫେରିବାକୁ ମନ ବଳାଇଥିଲେ । ତେବେ ସେ ଅସୁସ୍ଥ ଥିବା ଏବଂ ପାଖରେ ଟଙ୍କା ନଥିବାରୁ ଘରକୁ ଫେରି ପାରୁନଥିବା ସେ ତାଙ୍କ ସ୍ତ୍ରୀ ମେନକାଙ୍କୁ ଫୋନ ଯୋଗେ ଜଣାଇଥିଲେ । ଫଳରେ ସ୍ତ୍ରୀ ମେନକା ଏକ ହଜାର ଟଙ୍କା ଯୋଗାଡ କରି ଫୋନ ପେ’ ଯୋଗେ ବନ୍ଧୁଙ୍କ ନିକଟକୁ ପଠାଇଥିଲେ । ସ୍ତ୍ରୀ ମେନକା ବନ୍ଧୁଙ୍କ ବାଟକୁ ଚାହିଁ ବସିଥିଲେ ମଧ୍ୟ ସେ ଘରକୁ ଫେରିନାହାନ୍ତି । ଫଳରେ ମେନକା ଗତ ୨୭ ତାରିଖ ଦିନ ଏନେଇ ରିଆମାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ଅଧାରରେ ପୋଲିସ ଏକ ନିଖୋଜ ମାମଲା ଋଜୁ କରି ଘଟଣାର ତେଦନ୍ତ ଚଳାଇଛି । ଖବର ଲେଖାଯିବା ସୁଦ୍ଧା ନିଖୋଜ ବନ୍ଧୁଙ୍କର କୌଣସି ସନ୍ଧାନ ମିଳିପାରିନାହିଁ । ତେବେ ରିଆମାଳ ଥାନା ପୋଲିସ ଏ ଘଟଣାକୁ ଗମ୍ଭୀରତାର ସହ ନେଉନଥିବାରୁ ସ୍ୱାମୀ ସୁିରକ୍ଷିତ ଭାବେ ଫେରିବା ନେଇ ଧିରେ ଧିରେ ଆଶା ମଉଳିବାରେ ଲାଗିଛି ବୋଲି ମେନକା ଅଭିଯୋଗ କରିଛନ୍ତି । ଏଣୁ ଜିଲା ଆରକ୍ଷୀ ଅଧିକ୍ଷକ ଏବଂ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମେନକା ଦାବି ଜଣାଇଛନ୍ତି ।

